ପରିବହନ ନୀତିର ଆଜି ଶୁଭାରମ୍ଭ କରିବେ ମୋଦି

ଭୁବନେଶ୍ବର : ଆଜି ଅପରାହ୍ନ ୫ ଟା ୩୦ରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ପରିବହନ ନୀତି(ଏନ୍‌ଏଲ୍‌ପି)ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅନ୍ୟ ବିକଶିତ ଅର୍ଥବ୍ୟବସ୍ଥା ତୁଳନାରେ ଭାରତରେ ପରିବହନ ଖର୍ଚ୍ଚ ଅଧିକ ହୋଇଥିବା କାରଣରୁ ଦେଶରେ ଏକ ନୀତି ଆଣିବାର ଆବଶ୍ୟକତା ରହିଛି । ଭାରତରେ ପରିବହନ ଖର୍ଚ୍ଚ ହ୍ରାସ କରିବା ସହିତ ଉଭୟ ଘରୋଇ ଏବଂ ରପ୍ତାନି ବଜାରରେ ଭାରତୀୟ ଉତ୍ପାଦର ପ୍ରତିଦ୍ବନ୍ଦ୍ବିତାରେ ସୁଧାର ଆଣିବା ଲାଗି ଏଭଳି ଏକ ନୀତି ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି।

୨୦୧୪ ପରଠାରୁ, ସରକାର ବ୍ୟାବସାୟିକ ସୁଗମତା ଏବଂ ସହଜ ଜୀବନ ଧାରଣରେ ସୁଧାର ଆଣିବା ଉପରେ ବିଶେଷ ଗୁରୁତ୍ବାରୋପ କରି ଆସୁଛନ୍ତି। ଅନ୍ତଃ ବିଷୟକ, ଅନ୍ତଃ କ୍ଷେତ୍ରୀୟ ଏବଂ ବହୁ କ୍ଷେତ୍ରାଧିକାର ବିଶିଷ୍ଟ ଏକ ଢାଞ୍ଚା ପ୍ରସ୍ତୁତ କରିବା ଜରିଆରେ ପରିବହନ ଖର୍ଚ୍ଚ ହ୍ରାସ କରିବାରେ ଏନ୍‌ଏଲ୍‌ପି ସହାୟକ ହୋଇପାରିବ। ପରିବହନ କ୍ଷେତ୍ରରେ ରହିଥିବା ଅକ୍ଷମତା ଦୂର କରିବା ସହିତ ସମ୍ପୂର୍ଣ୍ଣ ପରିବହନ ଜୈବ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଦିଗରେ ଏନ୍‌ଏଲ୍‌ପି ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ଦେଶରେ ବିଶ୍ବସ୍ତରୀୟ ଆଧୁନିକ ଭିତ୍ତିଭୂମି ବିକଶିତ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲକ୍ଷ୍ୟ ରଖିଛନ୍ତି । ସାମଗ୍ରିକ ଯୋଜନା ପ୍ରସ୍ତୁତି ଏବଂ କାର୍ଯ୍ୟକାରିତାରେ ସବୁ ଅଂଶୀଦାରମାନଙ୍କୁ ଏକତ୍ରିତ କରିବା ଏହି ଜାତୀୟ ପରିବହନ ନୀତିର ଉଦ୍ଦେଶ୍ୟ। ଯାହାଫଳରେ ପ୍ରକଳ୍ପ କାର୍ଯ୍ୟକାରିତା କ୍ଷେତ୍ରରେ ଦକ୍ଷତା ଓ ସମନ୍ବୟ ଆସିପାରିବ ବୋଲି ଆଶା କରାଯାଉଛି।

Comments are closed.