ମୋଦି ଯିବେ ଆମେରିକା, ଜାଣନ୍ତୁ କାହିଁକି

ୱାସିଂଟନ୍‌: ଚଳିତ ବର୍ଷ ଜୁନ୍‌ କିଂବା ଜୁଲାଇ ମାସରେ ଆମେରିକା ଗସ୍ତରେ ଆସିବା ଲାଗି ରାଷ୍ଟ୍ରପତି ଜୋ ବାଇଡେନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।

ଏହି ନିମନ୍ତ୍ରଣ ଔପଚାରିକ ଭାବେ ଗ୍ରହଣ କରାଯାଇଛି ଏବଂ ଉଭୟ ଦେଶର ସରକାରୀ ଅଧିକାରୀମାନେ ପରସ୍ପରକୁ ସୁବିଧା ହେବା ଭଳି ଗସ୍ତ ତାରିଖ ସ୍ଥିର କରୁଥିବା କଥା ବିଭିନ୍ନସୂତ୍ରରୁ ସୂଚନା ମିଳିଛି। ସୂତ୍ର କହିବା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଯୋଜନା ସମ୍ପ୍ରତି ପ୍ରାରମ୍ଭିକ ପର୍ଯ୍ୟାୟରେ ‌ରହିଛି।

ପ୍ରଧାନମନ୍ତ୍ରୀ ହେବା ସମୟରୁ ମୋଦୀ ପ୍ରାୟ ୬/୭ଥର ଆମେରିକା ଗସ୍ତରେ ଯାଇଥିଲେ ବି ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଗସ୍ତ ଥିଲା ସରକାରୀ ଅଥବା କୌଣସି କାର୍ଯ୍ୟ ନିମିତ୍ତ ଗସ୍ତ। ସେଥିମଧ୍ୟରେ ଅନେକ ଗସ୍ତ ଥିଲା ନ୍ୟୁୟର୍କସ୍ଥିତ ଜାତିସଂଘ କାର୍ଯ୍ୟକ୍ରମରେ ନିମନ୍ତେ ଗସ୍ତ। କିନ୍ତୁ, ଏହା ହେବ ତାଙ୍କର ପ୍ରଥମ ‘ଷ୍ଟେଟ୍‌ ଭିଜିଟ୍‌’ (ଜଣେ ରାଷ୍ଟ୍ରମୁଖ୍ୟ ଅନ୍ୟ ଜଣେ ରାଷ୍ଟ୍ରମୁଖ୍ୟଙ୍କୁ ଆମନ୍ତ୍ରଣ କରିବା)। ତେଣୁ, ଏହାକୁ ଦୁଇ ସାର୍ବଭୌମ ରାଷ୍ଟ୍ରର ଦ୍ବିପାକ୍ଷିକ ବନ୍ଧୁତ୍ବର ସର୍ବୋଚ୍ଚ ନିଦର୍ଶନ ଭାବେ ବିବେଚନା କରାଯାଉଛି। ଏଥିରେ ସରକାରୀ ଉତ୍ସବ ଓ ଭୋଜିସଭା ଆୟୋଜନ କରାଯିବ।

ଉଲ୍ଲେଖଯୋଗ୍ୟ, ଶେଷଥର ପାଇଁ ୨୦୦୯ ନଭେମ୍ବର ମାସରେ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ବାରାକ୍‌ ଓବାମା ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର୍‌ ମନମୋହନ ସିଂହଙ୍କୁ ‘ଷ୍ଟେଟ୍‌ ଭିଜିଟ୍‌’ରେ ଆମନ୍ତ୍ରଣ କରି ହ୍ବାଇଟ୍‌ ହାଉସ୍‌ରେ ଆପ୍ୟାୟିତ କରିଥିଲେ।

Comments are closed.