ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଗୁପଚୁପ୍ ଖୁଆଇଲେ ମୋଦି

ନୂଆଦିଲ୍ଲୀ : ଗୁପ୍‌ଚୁପ୍ ଖାଇଲେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିିଦା। କେବଳ ଗୁପ୍‌ଚୁପ୍ ନୁହେଁ ପିଇଲେ ଲସି ଆଉ ଆମ୍ବ ପଣା। ଚାଖିଲେ ଭାରତର ସ୍ୱାଦିଷ୍ଟ ଖାଦ୍ୟ। ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଗତକାଲି ଦିଲ୍ଲୀରେ ମୋଦିଙ୍କ ସହ ମିଶି ଭାରତର ଏସବୁ ସୁସ୍ୱାଦୁ ଖାଦ୍ୟର ଆନନ୍ଦ ଉଠାଇଛନ୍ତି।

ଗତକାଲି ସକାଳେ ଦୁଇଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିବା ପରେ ଫୁମିଓ କିଶିଦାଙ୍କୁ ସ୍ୱାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ଫୁମିଓ କିଶିିଦାଙ୍କୁ ନେଇ ଦିଲ୍ଲୀର ବୁଦ୍ଧ ପାର୍କକୁ ଯାଇଥିଲେ ମୋଦି। ସେଠାରେ ମୋଦି ତାଙ୍କୁ ଦେଶର ପାରମ୍ପରିକ ଖାଦ୍ୟ ଗୁପ୍‌ଚୁପ୍ ଖୁଆଇଥିବା ବେଳେ ଲସି ବି ପିଆଇଥିଲେ। ଜାପାନ ପ୍ରଧାନମନ୍ତ୍ରୀ ଗୋଟିଏ ଗୁପଚୁପ୍ ଖାଇବା ପରେ ଆଉ ଗୋଟେ ମାଗି ଥିଲେ। ଏହାର ଚଟପଟା ସ୍ୱାଦ ତାଙ୍କୁ ବେଶ୍ ଭଲ ଲାଗିଥିଲା।

ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଫୁମିଓ କିଶିଦା ସୋମବାର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟରେ ସହଯୋଗିତା ବୃଦ୍ଧି ଉପରେ ବୈଠକ ଗୁରୁତ୍ୱାରୋପ ଦିଆଯାଇଥିଲା। ମୋଦି- କିଶିଦା ଆଲୋଚନାରେ ଚୀନ୍‌ର କାର୍ଯ୍ୟକଳାପ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିବା କୁହାଯାଉଛି।

Comments are closed.