ମୋଦିଙ୍କୁ ଉଦ୍ଧବଙ୍କ ଟାର୍ଗେଟ, କହିଲେ ଏମିତି

ନୂଆଦିଲ୍ଲୀ : କୋର୍ଟଙ୍କ ରାୟ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଲେଜ ଡିଗ୍ରୀକୁ ନେଇ ବିରୋଧୀଙ୍କ ମୁହଁ ବନ୍ଦ ହୋଇନି। ଗୁଜରାଟ ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏ ସମ୍ପର୍କିତ ଆବେଦନକୁ ଖାରଜ କରିଥିଲେ ହେଁ ଏବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହାକୁ ଉଠାଇଛନ୍ତି।

ସେ କଲେଜ ଡିଗ୍ରୀ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତେର୍ଚ୍ଛାବାଣ ମାରିଛନ୍ତି। କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଥିବା ବେଳେ ଗୁଜରାଟ ହାଇକୋର୍ଟ ତାଙ୍କ ଉପରେ ୨୫ ହଜାର ଟଙ୍କା ଜୋରିମାନା ଲଗାଇଥିଲେ।

ଏବେ ଉଦ୍ଧବ ଠାକରେ ଏହି ପ୍ରସଙ୍ଗରେ କହିଛନ୍ତି ଯେ “ଦେଶରେ ଅନେକ ଯୁବକ ଡିଗ୍ରୀ ଧରି ରହିଥିଲେ ହେଁ ସେମାନଙ୍କୁ ଚାକିରି ମିଳୁନି। ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଡିଗ୍ରୀ ଦେଖାଇବାକୁ କୁହାଯାଉଛି ସେତେବେଳେ ୨୫ ହଜାର ଟଙ୍କାର ଫାଇନ ଲାଗୁ କରାଯାଉଛି। କ’ଣ ପାଇଁ ପ୍ରଧାନମନ୍ତ୍ରୀ ଯେଉଁ କଲେଜରେ ପଢ଼ୁଥିଲେ ସେଠାକାର କର୍ତ୍ତୃପକ୍ଷ ଗର୍ବ କରିବା ପାଇଁ ସାମ୍ନାକୁ ଆସୁ ନାହାନ୍ତି? ଯେଉଁଠାରେ ପ୍ରଧାନମନ୍ତ୍ରୀ ପଢ଼ୁଥିଲେ, ସେ କଲେଜ କାହିଁକି ସାମ୍ନାକୁ ଆସୁନି?”

ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଗୋଷ୍ଠୀର ନେତୃତ୍ୱ ନେଉଥିବା ଉଦ୍ଧବ ଠାକରେ ବିଜେପିକୁ ମଧ୍ୟ ସମାଲୋଚନା କରିଛନ୍ତି। କଂଗ୍ରେସ ଓ ଏନସିପି ସହ ମିଶି ଉଦ୍ଧବ ଠାକରେ ଏକଦା ମହରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ୩ ଦଳ ଭିତରେ ଆଦର୍ଶଗତ ପାର୍ଥକ୍ୟ ଥିଲେ ମଧ୍ୟ କ୍ଷମତା ପାଇଁ ଉଦ୍ଧବ ଠାକରେ କଂଗ୍ରେସ ଓ ଏନସିପି ସହ ହାତ ମିଳାଇଥିଲେ ବୋଲି ବିଜେପି ବାରମ୍ବାର ଅଭିଯୋଗ କରି ଆସିଥିଲା।

Comments are closed.