ମୋ ସରକାରରେ ମିଶିଲେ ଏହି ତିନି ବିଭାଗ
ଭୁବନେଶ୍ୱର : ମୋ ସରକାର’ ବ୍ୟବସ୍ଥାରେ ଅର୍ଥ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗକୁ ସାମିଲ କରାଯାଇଛି। ଏହାପରେ ମୋଟ୍ ୩୧ଟି ବିଭାଗର ୨୫୦ ସେବା ଏହା ଅଧୀନକୁ ଆସିଛି। ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ‘ମୋ ସରକାର’ ନୂଆ ମଡେଲ ଦେଇପାରିଛି। କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ସହ ନିୟମିତ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ମୋ ସରକାର ସମ୍ପର୍କିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ବ୍ୟାପକ ବିକାଶ ହୋଇଛି। ଅନେକ କ୍ଷେତ୍ରରେ ରାଜ୍ୟ ଆଦର୍ଶ ସୃଷ୍ଟି କରିଛି। ୨୦୧୯ ଅକ୍ଟୋବର ୨ରେ ଆରମ୍ଭ ହୋଇଥିବା ମୋ ସରକାର କାର୍ଯ୍ୟକ୍ରମ ଲୋକଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିଛି। ଜନସାଧାରଣ ଓ ସରକାରୀ ଅନୁଷ୍ଠାନ ମଧ୍ୟରେ ଆସ୍ଥା ସୃଷ୍ଟି କରିବାରେ ସଫଳ ହୋଇପାରିଛି। କର୍ମଚାରୀଙ୍କ ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ଅନେକ ବିଭାଗ ସଫଳ ହେଉଛନ୍ତି। ତୃଣମୂଳସ୍ତରରୁ ଯେଉଁ ଫିଡ୍ବ୍ୟାକ ମିଳୁଛି, ତାହା ଉତ୍ସାହଜନକ। ଲୋକଙ୍କ ମତାମତ ସଂଗ୍ରହ କରି ସମସ୍ୟାର ସମାଧାନ କରିବା ଲାଗି ପଦକ୍ଷେପ ନେବା ଏବଂ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ସମ୍ପୃକ୍ତ ବିଭାଗ ମାନ୍ୟତା ଦେବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Comments are closed.