ବିଧାନସଭା ପରିସରରୁ ବିଧାୟକଙ୍କୁ ଟେକିନେଲା ପୋଲିସ

ନୂଆଦିଲ୍ଲୀ :କେରଳ ବିଧାନସଭା ପରିସରରୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଭିଡିଓ। ବିଧାନସଭାରେ ଥିବା ବାଚସ୍ପତିଙ୍କ ଅଫିସ ବାହାରେ ବିକ୍ଷୋଭ କରୁଥିବା ବିରୋଧୀ ଦଳର ବିଧାୟକମାନଙ୍କୁ ମାର୍ଶଲମାନେ ଉଠାଇ ନେଇଛନ୍ତି। ଆନ୍ଦୋଳନକୁ ବନ୍ଦ କରିବା ପାଇଁ ସେମାନେ ବିଧାୟକମାନଙ୍କୁ ବିଧାନସଭା ବିଲଡିଂ ମଧ୍ୟରୁ ବାହାର ମଧ୍ୟ କରି ଦେଇଛନ୍ତି। ଏହି ଘଟଣାର ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି।

ଆନ୍ଦୋଳନ କରୁଥିବା କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫର ବିଧାୟକମାନଙ୍କୁ ମାର୍ଶଲମାନେ ବାଚସ୍ପତି ଏଏନ ଶମଶୀରଙ୍କ ଅଫିସ ଆଗରୁ ଚାଲଯିବାକୁ କହିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ। ଏହାପରେ ଉଭୟ ପୁରୁଷ ଓ ମହିଳା ମାର୍ଶଲମାନେ ବିଧାୟକମାନଙ୍କୁ ସେଠାରୁ ଟେକି ନେଇ ବାହାରେ ଛାଡ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ ଚଟାଣରେ ଗଡ଼ି ଏହାକୁ ବିରୋଧ କରିଥିଲେ। ତଥାପି ବିଧାନସଭାର ମାର୍ଶଲମାନେ ବିଧାୟକମାନଙ୍କୁ ସେଠାରୁ ଟେକି ନେଇ ବାହାରେ ଛାଡ଼ି ଦେଇଥିଲେ।

ବିଧାନସଭାର ବିରୋଧୀ ଦଳ ନେତା ଭିଡି ସତୀସନ କହିଛନ୍ତି, ରୀମା, ଏକେଏମ ଅର୍ଶଫ, ଟିଭି ଇବ୍ରାହିମ ଓ ଶାନୀଶ କୁମାର ଏହି ଠେଲା ପେଲା ଏବଂ ଭିଡ଼ାଭିଡ଼ରେ ଆହତ ହୋଇଛନ୍ତି। ଗୃହରେ ବିରୋଧୀଙ୍କ ସାମ୍ବିଧାନିକ ଅଧିକାରକୁ ନିୟମିତ କ୍ଷୁଣ୍ଣ କରାଯାଉଛି। ମୁଲତବୀ ନୋଟିସ ଦେଇ ଆମେ ନିକଟରେ ଜଣେ ନାବାଳିକାଙ୍କ ଉପରେ ହୋଇଥିବା ଅକଥନୀୟ ନିର୍ଯାତନା ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଥିଲୁ। କିନ୍ତୁ ବାଚସ୍ପତି କୌଣସି ବୈଧ କାରଣ ନ କହି ନୋଟିସକୁ ଅଗ୍ରାହ୍ୟ କରିଛନ୍ତି। ତେଣୁ ଆମେ ବିକ୍ଷୋଭ କରୁଥିଲୁ। ସୁରକ୍ଷାକର୍ମୀ ବଳପୂର୍ବକୁ ଆମକୁ ଉଠାଇ ନେଇଛି ବୋଲି ସେ କହିଛନ୍ତି।

Comments are closed.