ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ : ବିବାଦ ପରେ ବଦଳିଲା କାର୍ଯ୍ୟ ସୂଚୀ, ପ୍ରଶିକ୍ଷଣ ଶିବିରର ଦିନକ ପୂର୍ବରୁ ଆସିଲା ବିଧାୟକଙ୍କ ନୂଆ ତାଲିକା

ପ୍ରଶିକ୍ଷଣ ନେବେ ନବାଗତ, ଅଭିଜ୍ଞତା ବାଣ୍ଟିବେ ଅଭିଜ୍ଞ। ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ। ଆସନ୍ତା ୧୭ ଓ ୧୮ ତାରିଖରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ନବନିର୍ବାଚିତ ବିଧାୟକଙ୍କୁ କେଉଁମାନେ ପ୍ରଶିକ୍ଷଣ ଦେବେ ସେନେଇ ସଂଶୋଧିତ ତାଲିକା ଆସିଛି।

ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେ.ପି ନଡ୍ଡା ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଥିଲା। ଯେଉଁ ତାଲିକାକୁ ଏବେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ବିଜେପି ନେତା ଏହି କାର୍ଯ୍ୟକ୍ରମର ଉଦଘାଟନ କରିବାକୁ ସ୍ଥିର ହୋଇଥିବାରୁ ଗୃହର ଗାରିମା କ୍ଷୂର୍ଣ୍ଣ ହେବ ବୋଲି ଦର୍ଶାଇ ଦଳୀୟ ବିଧାୟକ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେବେନି ବୋଲି ସ୍ପଷ୍ଟ କରିଥିଲା ବିଜେଡି। ଏବେ ପ୍ରଶିକ୍ଷଣ ଶିବିରକୁ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ସଂଶୋଧିତ ତାଲିକା ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବାଚସ୍ପତି ସୁରମା ପାଢୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ କରିବେ। ସେହିଭଳି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ନବନିର୍ବାଚିତ ବିଧାୟକଙ୍କୁ ସମ୍ବୋଧନ କରିବେ। ଦୁଇ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଉଭୟ ଶାସକ ଓ ବିରୋଧୀ ଦଳର ଅଭିଜ୍ଞ ନେତା ନବନିର୍ବାଚିତ ବିଧାୟକଙ୍କୁ ଟ୍ରେନିଂ ଦେବେ। ବିଧାନସଭାର କାର୍ୟ୍ୟବିଧି, ବୈଧାନିକ ପ୍ରକ୍ରିୟା, ପ୍ରଶ୍ନକାଳ, ଶୂନ୍ୟକାଳ, ବଜେଟ ବ୍ୟବସ୍ଥା ଜାଣିବା ସହ ଲୋକଙ୍କ ହିତରେ ଆଲୋଚନା କେଉଁ ଢଙ୍ଗରେ କରିବେ ସେନେଇ ପ୍ରଶିକ୍ଷଣ ଦିଆଯିବ।

Comments are closed.