ବିକାଶରେ ମୟୂରଭଞ୍ଜର ସ୍ବତନ୍ତ୍ର ଭୂମିକା ରହିଛି

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ୨ଟି ପ୍ରମୁଖ ପ୍ରକଳ୍ପ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଏବଂ ଦେଓ ଜଳସେଚନ ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାସଗୋବିନ୍ଦପୁରଠାରେ ଉଦ୍‌ଘାଟନ କରିଛନ୍ତି। ଦିନ ୧୧ଟା ୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାସଗୋବିନ୍ଦପୁରଠାରେ ଆୟୋଜିତ ସଭାରେ ପହଞ୍ଚିଥିଲେ। ହଜାର ହଜାର ଜନସାଧାରଣ ତଥା ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ସେ ଉଭୟ ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥିଲେ, ପଣ୍ଡିତ ରଘୁନାଥ ମୁର୍ମୁଙ୍କ ମାଟିକୁ ମୁଁ ପ୍ରଣାମ ଜଣାଉଛି। ମୟୂରଭଞ୍ଜ କଳା ଓ ସଂସ୍କୃତିର ମାଟି। ସାରା ଦେଶରେ ମୟୂରଭଞ୍ଜର ସ୍ବତନ୍ତ୍ର ପରିଚୟ ରହିଛି। ଏହି ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇ ଓଡ଼ିଆଙ୍କୁ ଗର୍ବିତ କରିଛନ୍ତି। ଆନନ୍ଦର କଥା ଯେ ଆଜି ଗୋଟିଏ ଦିନରେ ସୁବର୍ଣ୍ଣରେଖା ଓ ଦେଓ ପରି ଦୁଇଟି ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ ହେଉଛି। ଏହାଦ୍ବାରା ଚାଷୀମାନେ ଉପକାର ପାଇବେ। ବିକାଶ ଉପରେ ଆମେ ସବୁବେଳେ ଗୁରୁତ୍ବ ଦେଇଆସିଛୁ। ଲୋକେ ସଶକ୍ତ ହୋଇଛନ୍ତି। ଓଡ଼ିଶାର ବିକାଶ ପାଇଁ ମୟୂରଭଞ୍ଜର ଅନେକ ଅବଦାନ ରହିଛି। ଆସନ୍ତୁ ମିଳିମିଶି କାମ କରିବା। ସ୍ବାଧୀନତାର ୭୫ ବର୍ଷ ପାଳନ ଅବସରରେ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ଜନଜାତି ଭାଇଭଉଣୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଆଜି ସୁଫଳ ଦେବା ଆରମ୍ଭ କରିଛି। ଶିକ୍ଷା ଓ ରୋଜଗାର ଜରିଆରେ ସେମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ବହୁତ ଆଗକୁ ଯାଇପାରିଛି। ଜନଜାତି ପିଲାମାନେ ଆଜି ସେମାନଙ୍କ ଦକ୍ଷତା ବଳରେ ଦେଶ ବିଦେଶରେ ସୁନାମ କରିପାରୁଛନ୍ତି ବୋଲି ସେ କହିଥିଲେ ।କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ବିକାଶ ଓ କଲ୍ୟାଣମୂଳକ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ସବୁ କାର୍ଯ୍ୟକ୍ରମ ଲୋକଙ୍କୁ ସଶକ୍ତ କରିଛି ଏବଂ ଲୋକଙ୍କ ଆଦର ଲାଭ କରିଛି।

୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି କରିଛି । ଯେତେବେଳେ ମୟୁରଭଞ୍ଜର ଗୋଟିଏ ପିଲାଟିଏ ଗାଁ ସ୍କୁଲରେ ବିଶ୍ବସ୍ତରୀୟ ଶିକ୍ଷା ସୁବିଧା ପାଉଛି, ସେତେବେଳେ କେବଳ ସେ ପିଲା ନୁହେଁ, ବା ଗାଁ ନୁହେଁ, ସାରା ଓଡିଶାର ଆଗକୁ ବଢିବାର ଚିତ୍ର ସ୍ପଷ୍ଟ ହେଉଛି ବୋଲି ସେ କହିଥିଲେ ।

ମୟୁରଭଞ୍ଜର କଳା ଓ ସଂସ୍କୃତିର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସାରା ଭାରତରେ ମୟୁରଭଞ୍ଜର ଏକ ସ୍ବତନ୍ତ୍ର ପରିଚୟ ରହିଛି । ମୟୁରଭଞ୍ଜର ଜନଜାତି ଭାଇଭଉଣୀମାନଙ୍କର ଏକ ସମୃଦ୍ଧ ପରମ୍ପରା ରହିଛି। ସେହି ଗୌରବକୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀ ଆହୁରି ବୃଦ୍ଧି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ତାଙ୍କ ପାଇଁ ଆମେ ସମସ୍ତେ ଗର୍ବିତ ବୋଲି ସେ କହିଥିଲେ।ସେହିପରି ବାଙ୍ଗିରିପୋଷି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୋରଡ଼ା ବିଧାୟକ ରାଜକିଶୋର ଦାସ ଏବଂ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ବକ୍ତବ୍ୟ ରଖିଥିଲେ। ୫-ଟି ସଚିବ ଭିକେ ପାଣ୍ଡିଆନ୍‌, ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା ତଥା ଜଳସେଚନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ‌ଶେଷରେ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଧନ୍ୟବାଦ ‌ଦେଇଥିଲେ।
ସୂଚନାଥାଉକି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଏବଂ ଦେଓ ଜଳସେଚନ ପ୍ରକଳ୍ପ ଦ୍ବାରା ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ୨୭,୦୦୦ ହେକ୍ଟର ଜମିକୁ ଜଳସେଚିତ ହୋଇପାରିବ। ୬୮୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦ୍ବାରା ମୟୂରଭଞ୍ଚ ଓ ବାଲେଶ୍ବର ଜିଲ୍ଲାର ୧୭,୧୨୧ ହେକ୍ଟର ଜମିକୁ ଜଳସେଚନ ହେବା ନେଇ କୁହାଯାଇଛି। ଯାହାଫଳରେ ମୋଟ ୫୫ ହଜାର ଚାଷୀ ଉପକୃତ ହେବେ। ସେହିପରି ୮୨୩ କୋଟି ଟଙ୍କା ବ୍ୟୟରେ କରଞ୍ଜିଆରେ‌ ନିର୍ମିତ ହୋଇଥିବା ୧,୨୮୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଦେଓ ବନ୍ଧ ଦ୍ବାରା ୯,୯୦୦ ହେକ୍ଟର ଜମିକୁ ଜଳସେଚିତ ହୋଇପାରିବ। ଫଳରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୧୦୦ଟି ଗ୍ରାମର ପ୍ରାୟ ୨ ଲକ୍ଷ ଲୋକ ଉପକୃତ ହୋଇପାରିବେ ବୋଲି କୁହାଯାଇଛି।

Comments are closed.