ମନମୋହନ ସାମଲ ହେଲେ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର:ମନମୋହନ ସାମଲ ହେଲେ ରାଜ୍ୟ ବିଜେପିର ନୂଆ ସଭାପତି । ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ଗୁରୁଦାୟିତ୍ୱ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି ।

ଆଗକୁ ୨୦୨୪ ନିର୍ବାଚନ ଥିବା ବେଳେ ମନମୋହନଙ୍କ ନେତୃତ୍ୱରେ ଦଳ ମଇଦାନକୁ ଓହ୍ଲାଇବ ବୋଲି ସ୍ପଷ୍ଟ ହୋଇଛି। ମନମୋହନଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ନିର୍ବାଚନୀ ବୈତରଣୀ ପାର ହେବାକୁ ଯୋଜନା କରୁଥିବା ସଙ୍କେତ ମିଳିଛି।

ମନମୋହନଙ୍କ ପାଇଁ ଏହି ଦାୟିତ୍ୱ ନୂଆ ନୁହେଁ । ପୂର୍ବରୁ ମଧ୍ୟ ରାଜ୍ୟ ବିଜେପିର ସଭାପତି ଦାୟିତ୍ୱ ତୁଲାଇଛନ୍ତି ମନମୋହନ । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଧାମନଗରର ବିଧାୟକ ଥିବା ମନମୋହନ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି । ଧାମନଗର ଉପ-ନିର୍ବାଚନରେ ଦଳର ବିଜୟରେ ମନମୋହନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଯେଉଁଥିପାଇଁ ତାଙ୍କୁ ସଭାପତି ପଦ ପୁରସ୍କାରରେ ମିଳିଛି । ମନମୋହନଙ୍କ ନେତୃତ୍ୱରେ ଦଳ ୨୦୨୪ ନିର୍ବାଚନ ମୈଦାନକୁ ଓହ୍ଲାଇବ ।

ରାଜ୍ୟ ବିଜେପି ସଭାପତି ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନମୋହନ ସାମଲ କହିଛନ୍ତି, ‘ରାଜ୍ୟରେ ଚାଲିଥିବା ସରକାର ଅନ୍ୟାୟ, ଅତ୍ୟାଚାରରେ ବୁଡ଼ିକି ରହିଛି । ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ବିରୋଧରେ ବିଜେପି ଲଢ଼ିବ । ଓଡ଼ିଶାରେ ଦୁର୍ନୀତିଗ୍ରସ୍ତ ଶାସନ ଚାଲିଛି, ତାକୁ ୨୪ରେ ପରିବର୍ତ୍ତନ କରାଯିବ। ଲୋକେ ବିକଳ୍ପ ସରକାର ଅପେକ୍ଷାରେ ଥିବା ବେଳେ ଆମେ ସେହି ବିକଳ୍ପ ଦେବୁ। ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି ବୋଲି କହିବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ନୂଆ ବିଜେପି ସଭାପତି ।

Comments are closed.