କାହାକୁ ଏମିତି କହିଲେ ମନୀଷ ତିୱାରୀ
ନୂଆଦିଲ୍ଲୀ: ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସ ସୃଷ୍ଟି ହୋଇଥିବା କମ୍ପନ ଆଜି ମଧ୍ୟ ଶୁଣିବାକୁ ମିଳିଛି। ଆଜାଦ ୫ ପୃଷ୍ଠାର ଚିଠି ଲେଖି ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଥିରେ କଂଗ୍ରେସରେ ଚାଲିଥିବା ଗୁପ୍ତ ଚାଟୁକାରିତା କୋଟରୀକୁ ସେ ତୀବ୍ର ସମାଲୋଚନା କରିଥିଲେ। ଏଥିସହ ରାହୁଲ ଗାନ୍ଧିଙ୍କ ଉପରେ ମଧ୍ୟ ବର୍ଷିଥିଲେ।
ତେବେ ଆଜି ଅନ୍ୟତମ ବରିଷ୍ଠ ନେତା ତଥା ସାଂସଦ ମନୀଷ ତିୱାରୀ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଛି। ସେ ମଧ୍ୟ ଗୁଲାମଙ୍କ ଭଳି କଂଗ୍ରେସର ଚାଟୁକାରିତାମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହ କଂଗ୍ରେସ ଓ ଭାରତ ମଧ୍ୟରେ ଥିବା ସମ୍ପର୍କରେ ଏବେ ଫାଟ ସୃଷ୍ଟି ହୋଇଥିବା ମଧ୍ୟ ସେ କହିଛନ୍ତି।
ସେ କହିଛନ୍ତି, “ଦୁଇ ବର୍ଷ ତଳେ ଆମ ଭିତରୁ ୨୩ ଜଣ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଦଳର ସ୍ଥିତି ସମ୍ପର୍କରେ ଜଣାଇଥିଲୁ ଓ ଏହାକୁ ଗୁରୁତର ସହ ନେବାକୁ ପରାମର୍ଶ ଦେଇଥିଲୁ। କଂଗ୍ରେସ ସେହି ଚିଠି ପରେ ସବୁ ବିଧାନସଭା ନିର୍ବାଚନରେ ହାରିଥିଲା। ଯଦି କଂଗ୍ରେସ ଓ ଭାରତ ଏକାଭଳି ଭାବନ୍ତି, ତା’ହେଲେ ମୋତେ ଲାଗୁଛି ଏବେ ସେମାନେ ଅଲଗା ଅଲଗା କଥା ଭାବିବା ଆରମ୍ଭ କରିଛନ୍ତି।
୧୮୮୫ରୁ ଭାରତ ଓ କଂଗ୍ରେସ ମଧ୍ୟରେ ଯେଉଁ ସମନ୍ୱୟ ରହିଥିଲା, ଏବେ ସେଥିରେ ଫାଟ ସୃଷ୍ଟି ହୋଇଛି। ତେଣୁ ଆତ୍ମସମୀକ୍ଷାର ଆବଶ୍ୟକ ରହିଥିଲା। ୨୦୨୦ ଡିସେମ୍ବର ୨୦ରେ ସୋନିଆ ଗାନ୍ଧିଙ୍କ ବାସଭବନରେ ହୋଇଥିବା ବୈଠକର ନିଷ୍ପତ୍ତିକୁ ଯଦି କାର୍ଯ୍ୟକାରୀ କରାଯାଇ ଥାଆନ୍ତା, ତା’ହେଲେ ଆଜି ଏପରି ସ୍ଥିତି ସୃଷ୍ଟି ହୋଇ ନଥାଆନ୍ତା।”
Comments are closed.