ବଢ଼ିଲା ମେନକା ଗାନ୍ଧୀଙ୍କ ଅଡ଼ୁଆ

ନୂଆଦିଲ୍ଲୀ: ବି‌ଜେପି ସାଂସଦ ମେନକା ଗାନ୍ଧିଙ୍କୁ ଇସ୍କନ୍‌ (ଦ ଇଣ୍ଟରନେସନାଲ ସୋସାଇଟି ଫର୍‌ କ୍ରିଷ୍ଣା କନ୍‌ସିୟସନେସ୍‌) ୧୦୦ କୋଟି ଟଙ୍କାର ମାନହାନି ‌ନୋଟିସ୍‌ ପଠାଇଛି। ମେନକା ଗାନ୍ଧି ଇସ୍କନ୍‌ ବିରୋଧରେ ଗୁରୁତର ଅଭିଯୋଗ ଆଣି କହିଥିଲେ ଯେ ଉକ୍ତ ଅନୁଷ୍ଠାନ କଂସେଇଙ୍କୁ ଗାଈ ବିକି ଦେଉଛି। ଏକ ଭିଡିଓରେ ମେନକା ଇସ୍କନ୍‌ ବିରୋଧରେ ଏଭଳି ଅଭିଯୋଗ କରୁଥିବା ‌ଭାଇରାଲ ହେବାପରେ ଇସ୍କନ ପକ୍ଷରୁ ଏହାକୁ ଚ୍ୟାଲେଂଜ କରାଯାଇଛି। ପ୍ରାଣୀ ଅଧିକାର କର୍ମୀ ମେନକା କହିଥିଲେ, ଇସ୍କନ୍‌ ଗୋଶାଳା ପ୍ରତିଷ୍ଠା କରିଛି ଏବଂ ବିଶାଳକାୟ ଜମି ଆକାରରେ ଏହା ସରକାରଙ୍କଠାରୁ ଅନେକ ଉପକାର ପାଉଛି। ତେବେ ଇସ୍କନ୍‌ ଗାଈମାନଙ୍କୁ କଂସେଇକୁ ବିକି ଦେଉଛି ଏବଂ ସେମାନଙ୍କଠାରୁ ଏଭଳି କାମ ଆଉ କେହି ବେଶି କରିପାରିବେନି ବୋଲି ମଧ୍ୟ ମେନକା ମତ ରଖିଥିଲେ ।

ସେମାନେ ରାସ୍ତାରେ ‘ହରେ ରାମ ହରେ କ୍ରିଷ୍ଣା’ କହି ଘୂରି ବୁଲନ୍ତି ଏବଂ ସେମାନଙ୍କ ସମଗ୍ର ଜୀବନ ଦୁଗ୍ଧ ଉପରେ ନିର୍ଭରଶୀଳ ବୋଲି କହୁଥିଲେ ମଧ୍ୟ ଓଲଟା କାର୍ଯ୍ୟ ଦେଖିବାକୁ ମିଳୁଛି ବୋଲି ମେନକା କହିଥିଲେ। ତେବେ ଇସ୍କନ୍‌ ପକ୍ଷରୁ ମେନକାଙ୍କ ଏହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ଦର୍ଶାଇ ଖଣ୍ଡନ କରାଯାଇଛି। ଉକ୍ତ ଅନୁଷ୍ଠାନ ଏବେ ବିଜେପି ସାଂସଦଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କୋଲକାତା ଇସ୍କନର ଉପସଭାପତି ରାଧାରମଣ ଦାସ କହିଛନ୍ତି, ମେନକା ଗାନ୍ଧିଙ୍କ ଟିପ୍ପଣୀ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଶ୍ବବ୍ୟାପୀ ଆମର ଭକ୍ତମାନେ ଏଥିପାଇଁ ଗଭୀର ଭାବେ ଆଘାତ ପାଇଛନ୍ତି। ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ ଏବଂ ମେନକାଙ୍କୁ ଆଜି ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍‌ ପଠାଉଛୁ।

Comments are closed.