କଂଗ୍ରେସ ସଭାପତି ହେଲେ ମଲ୍ଲିକା ଅର୍ଜୁନ
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ହୋଇଥିବା ନିର୍ବାଚନରେ ବିଶିଷ୍ଟ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ ପରାସ୍ତ ହୋଇଥିବା ତାଙ୍କ ପ୍ରତିଦ୍ବନ୍ଦ୍ବୀ ଶଶୀ ଥରୁର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଖଡଗେ ବିଜୟୀ ହେବା ପରେ ଏବେ ପ୍ରଶ୍ନ ଉଠିଛି ଯେ ନୂଆ ଅଧ୍ୟକ୍ଷ ନିର୍ବାଚିତ ପରେ ଦଳରେ ରାହୁଲ ଗାନ୍ଧୀଙ୍କ ଭୂମିକା କ’ଣ ହେବ? ଏବେ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀ ନିଜେ ଏହି ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ କଂଗ୍ରେସରେ ତାଙ୍କର ଭୂମିକା କ’ଣ ହେବ, ତାହା ନୂତନ ଅଧ୍ୟକ୍ଷଙ୍କ ଦ୍ୱାରା ସ୍ଥିର ହେବ।
ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ୩୫୭୦କିଲୋମିଟର ଲମ୍ବା ଭାରତ ଯୋଡା ଯାତ୍ରା ଆରମ୍ଭ କରିଛି। ଏହି ଯାତ୍ରା ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ପହଞ୍ଚିଥିବା ବେଳେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ରାହୁଲ। ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ତାଙ୍କ ଭୂମିକା ବିଷୟରେ ପଚରାଯାଇଥିଲା, ସେତେବେଳେ ରାହୁଲ କହିଥିଲେ ଯେ କଂଗ୍ରେସରେ ତାଙ୍କର ଭୂମିକା କ’ଣ ହେବ, ସେ ନିଷ୍ପତ୍ତି ନୂତନ ଅଧ୍ୟକ୍ଷ ନେବେ। ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ପଚରାଯାଇଥିଲା ଯେ ସେ ନୂତନ ଅଧ୍ୟକ୍ଷଙ୍କୁ ରିପୋର୍ଟ କରିବେ କି? ଏହାର ଉତ୍ତର ରଖି ରାହୁଲ ଗାନ୍ଧୀ କହିଥିଲେ ନିଶ୍ଚିତ। କଂଗ୍ରେସରେ ଅଧ୍ୟକ୍ଷଙ୍କ ପାଖରେ ସର୍ବୋଚ୍ଚ ଅଧିକାର ଥାଏ।
ତେବେ ଆଜି ଭୋଟ ଗଣତି ଥିବ ବେଳେ ଗାନ୍ଧୀ ଅନୁମୋଦିତ ପ୍ରାର୍ଥୀ ଖଡ଼ଗେ ୭,୮୯୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ଶଶୀ ଥରୁର୍ ମାତ୍ର ୧,୦୭୨ ଖଣ୍ଡ ଭୋଟ୍ ପାଇଛନ୍ତି। ଶୁଭେଚ୍ଛା ଜଣାଇ ଶଶୀ ଟୁଇଟ୍ କରିଛନ୍ତି: ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ହେବା ବଡ଼ ସମ୍ମାନ ଓ ଗୁରୁ ଦାୟିତ୍ବ କଥା। ସେ କାର୍ଯ୍ୟ ତୁଲାଇବାରେ ଖଡ଼ଗେ ସଫଳ ହୁଅନ୍ତୁ। ହଜାରରୁ ଊର୍ଦ୍ଧ୍ବ ସହକର୍ମୀଙ୍କ ସମର୍ଥନ ପାଇଥିବାରୁ ଆନନ୍ଦିତ।
Comments are closed.