ଫଳକ ଭଙ୍ଗା ଦୁର୍ବୃତ୍ତଙ୍କ କାର୍ଯ୍ୟକୁ ଘୋର ନିନ୍ଦା କଲେ ନୂଆଗାଁ ବ୍ଲକ ଜନସାଧାରଣ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ଏବଂ ପାରା ଢିପି ପଞ୍ଚାୟତରେ ମାତିଛନ୍ତିି ଫଳକ ଭଙ୍ଗା ଦୁର୍ବୃତ୍ତ । ସୂଚନା ଅନୁଯାୟୀ ନୂଆଗାଁ ଏବଂ ପାରା ଢିପି ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିବା ଘଟଣା ରାଜନୈତିକ ମହଲ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଏବଂ ଜନସାଧାରଣଙ୍କ ମହଲରେ ତୀବ୍ର ନିନ୍ଦାର ସୂତ୍ରପାତ ହେଉଛି । ବିଭିନ୍ନ ମହଲରୁ ଶୁଣିବାକୁ ମିଳୁଛି ଯେ କିଛି ଖଳ ପ୍ରକୃତିର ବ୍ୟକ୍ତି ପଞ୍ଚାୟତ ନିର୍ବାଚନ ପରଠାରୁ ଏଭଳି କଦର୍ଯ୍ୟ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି । ଆଉ କେହି କେହି କୁହନ୍ତି କିଛି ରାଜନୈତିକ ବ୍ୟକ୍ତି ନିର୍ବାଚନ ପରାଜୟ କରିବା ପରେ ଜ୍ଵର ବିକଳରେ ତାଟିଆ କାମୁଡ଼ି ଏଭଳି କଦର୍ଯ୍ୟ କାର୍ଯ୍ୟ କରିବାରେ ଲିପ୍ତ ଅଛନ୍ତି । ମିଳିଥିବା ଖବର ଅନୁସାରେ ନୂଆଗାଁ ପଞ୍ଚାୟତ ମେଡିକାଲ୍ ଏବଂ ପାରା ଢ଼ିପି ପଞ୍ଚାୟତରେ ଫଳକ ଭଙ୍ଗା ପଛରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ କରୁଥିବା ଅନୁମାନ କରାଯାଉଛି । ପାରା ଢିପି ପଞ୍ଚାୟତରେ ଫଳକ ଭଙ୍ଗାକୁ ନେଇ ନୂଆଗାଁ ଥାନାରେ ପାରା ଢିପି ଗ୍ରାମ ପଞ୍ଚାୟତର ଦୁର୍ଯ୍ୟୋଧନ ରାଉତ ୧୧ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ନୂଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ବସନ୍ତ କୁମାର ସାହୁ କେସ ନଂ ୬୮ ରେ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଥିବା କହିଛନ୍ତି।ତେବେ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଫଳକ ଭଙ୍ଗା ଦୁର୍ବୃତ୍ତ ଏବଂ ତାଙ୍କ ପରାମର୍ଶ ଦାତା କୁଚକ୍ରି ଗୋଷ୍ଠୀଙ୍କୁ ଘୋର ନିନ୍ଦା କରିଛନ୍ତି ନୂଆଗାଁ ବ୍ଲକର ଜନସାଧାରଣ । ଏପରିକି ଫଳକ ଭଙ୍ଗା ଦୁର୍ବୃତ୍ତ ଏବଂ ତାଙ୍କ ପରାମର୍ଶ ଦାତା ତୁରନ୍ତ ଗିରଫ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Comments are closed.