ନାଇଜରରେ ଅଗ୍ନି-ସୁରକ୍ଷା ସଚେତନତା ସପ୍ତାହ ପାଳିତ

ଜଟଣୀ( ସଞ୍ଜୀବ କୁମାର) : ଓଡିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ନାଇଜର ପରିସରରେ ଅଗ୍ନି-ସୁରକ୍ଷା ସଚେତନତା ସପ୍ତାହ ପାଳିତ ହୋଇଯାଇଅଛି । ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମର ଉଦ୍‌ଯାପନ ଉତ୍ସବ ଆଜି ପଠାଣି ସାମନ୍ତ ଅଡିଟୋରିୟମରେ ପାଳିତ ହୋଇଥିଲା । ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ଏମସ୍‌ର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଅଧୁନା ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ ମହାପାତ୍ର । ଉଦଘାଟନୀ ଭାଷଣରେ ପ୍ରଫେସର ମହାପାତ୍ର କହିଲେ ଯେ ଅଗ୍ନି ସଚେତନତା ଧନ ଜୀବନ ରକ୍ଷା କରେ, ଫଳରେ ସଂସ୍ଥାର ଉତ୍ପାଦକତା ବଢାଏ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଇଜରର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡା କହିଲେ ଯେ ଅଗ୍ନିସେବାରେ ନିଜକୁ ନିୟୋଜିତ କରିଥିବା ବ୍ୟକ୍ତିର କର୍ତବ୍ୟନିଷ୍ଠା, ସୀମା ସୁରକ୍ଷାକାରୀ ସୈନିକଙ୍କ ପରି ଦେଶ ପ୍ରତି ଅତୁଳନୀୟ ଦାନ । ୧୯୪୪ ମସିହାରେ ବମ୍ବେ ଡକୟାର୍ଡରେ ଘଟିଥିବା ଘଟଣାକୁ ମନେପକାଇ ସେ ଭାବପୂର୍ଣ୍ଣ ଏକ ବକ୍ତବ୍ୟ ରଖିଥିଲେ । ଭାରତର ଅଗ୍ନି ସୁରକ୍ଷା ସଂସ୍ଥାର ସଭ୍ୟ ଶ୍ରୀଯୁକ୍ତ ଅନୁପମ ମଜୁମଦାର ଏବଂ ଶ୍ରୀ ଶେଖର ଦେ ଅଗ୍ନି ସୁରକ୍ଷାର ପ୍ରାଧାନ୍ୟ ଏବଂ ପ୍ରତିକ୍ଷେତ୍ରରେ ତାର ଆବଶ୍ୟକତା ବିଷୟରେ ଗୁରୁତ୍ୱାରୋପ କରିଥିଲେ । ଅଗ୍ନି ସୁରକ୍ଷା ସପ୍ତାହର ପ୍ରାରମ୍ଭରେ ୧୦ କି.ମି.ର ଏକ ମାରାଥନକୁ ଡ. ଅଭୟ କୁମାର ନାୟକ ପତକା ଦେଖାଇ ଉଦଘାଟନ କରିଥିଲେ । ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଥିବା ପୋଷ୍ଟର ଉପସ୍ଥାପନ, ପ୍ରବନ୍ଧ ପ୍ରତିଯୋଗୀତାର ପ୍ରତିଯୋଗୀମାନଙ୍କୁ ପୁରଷ୍କୃତ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । ଉଦଯାପନୀ ଉତ୍ସବରେ ସ୍ୱାଗତ ଭାଷଣ ଦେଇଥିଲେ ଅନୁଷ୍ଠାନର କୁଳସଚିବ ତଥା ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ଡ. ଅଭୟ କୁମାର ନାୟକ । କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଶ୍ରୀଯୁକ୍ତ ଅଶାଙ୍କ ବିଶ୍ୱକର୍ମା, ଡ. ଅରୁଣ କୁମାର, ଶ୍ରୀ ଦିଲ୍ଲିପ୍ ଝା, ଶ୍ରୀ ସୌଭାଗ୍ୟ ମହାପାତ୍ର ଏବଂ ଡ. ସୌରଭ ଚାୱଲା । ଧନ୍ୟବାଦ ଅର୍ପଣ କରିଥିଲେ ଡିନ୍ ଡ. ପ୍ରଣୟ କୁମାର ସ୍ୱାଇଁ ।

Comments are closed.