ମୋଟର ସାଇକେଲ ଲୁଟେରା ଗିରଫ,10 ଚୋରା ମୋଟର ସାଇକେଲ ଜବତ

ଖୋର୍ଦ୍ଧା(ମନୋରଞ୍ଜନ ପ୍ରଧାନ) : ଏକ ମଟରସାଇକେଲ ଚୋରକୁ ଗିରଫ କରିବା ସହ ୧୦ ଚୋରା ମଟରସାଇକେଲ ଉଦ୍ଧାର କରିଛି ଖୋର୍ଦ୍ଧା ଟାଉନ ଥାନା ପୋଲିସ। ସୂଚନା ମୁତାବକ ଚଳିତ ମାସ ୨୫ ତାରିଖ ସଂନ୍ଧ୍ୟାରେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଜୟୀ ରାଜଗୁରୁ ପାର୍କ ପରିସରରୁ ଜନୈକ ବ୍ୟକ୍ତିଙ୍କ ବାଇକ କୌଣସି ଦୁର୍ବୁତ୍ତ ଚୋରି କରିନେଇଥିଲା । ଏହି ପରିପ୍ରେକ୍ଷୀରେ ଟାଉନ ଥାନାରେ କେଶ ନମ୍ବର ୨୯୮/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା।

ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଓ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ତେବେ ଚଢ଼ାଉରେ ପୋଲିସ ଉକ୍ତ ବାଇକ ଚୋରକୁ ଗିରଫ କରିବା ସହ ତାଙ୍କ ନିକଟରୁ ସମୁଦାୟ ୧୦ ଗୋଟି ଚୋରା ବାଇକ ଜବତ କରିଛି।

ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳର ପ୍ରଶାନ୍ତ କୁମାର ଲେଙ୍କା (୩୦)। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଉକ୍ତ ଚଢ଼ାଉରେ ଏସଆଇ ସୁକାନ୍ତ ଦଳାଇ, ଏଏସଆଇ ଅକ୍ଷୟ କୁମାର ସେଠି, ପ୍ରଦୀପ କୁମାର ପ୍ରଧାନ ଏବଂ ଅନ୍ୟ ପୋଲିସ କର୍ମୀମାନେ ସାମିଲ ଥିଲେ।

Comments are closed.