ଜଟଣୀ ସାହିତ୍ୟ ସଂସଦର ୪୫ତମ ସାମ୍ବତ୍ସରିକ ଉତ୍ସବ ଅନୁଷ୍ଠିତ
ଜଟଣୀ(ସଞ୍ଜୀବ କୁମାର) : ଜଟଣୀ ସାରସ୍ୱତ ସଂଗଠନ ଜଟଣୀ ସାହିତ୍ୟ ସଂସଦର ୪୫ତମ ସାମ୍ବତ୍ସରିକ ଉତ୍ସବ ସ୍ଥାନୀୟ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ମଧୁସୂଦନ ହଲ୍ରେ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବତ୍ସରିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଭାଷାତତ୍ୱବିଦ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇ ସାହିତ୍ୟ ସଂଗଠନମାନେ ସଂସ୍କୃତିର ବିକାଶ ପାଇଁ ନିର୍ଦ୍ଦିଷ୍ଟ ଗଠନମୂଳକ ଭୂମିକା ଗ୍ରହଣ କରିବା ଉଚିତ୍ ବୋଲି ପ୍ରକାଶ କରିଥିଲେ । ସାହିତ୍ୟରେ ‘ବସୁଧୈବକୁଟୁମ୍ବକମ୍’ ଚିନ୍ତାଧାରା ସହିତ ପୃଥିବୀର ସମସ୍ତ ଭାଷାପ୍ରତି ଆଗ୍ରହ ଓ ସମ୍ମାନବୋଧ ରହିବା ଆବଶ୍ୟକ ବୋଲି କହିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ଡଃ ଶରଚ୍ଚନ୍ଦ୍ର ମହାପାତ୍ର ଏହି ଉତ୍ସବରେ ବକ୍ତାଭାବରେ ଯୋଗଦେଇଥିଲେ । ଓଡ଼ିଆ ସାହିତ୍ୟରେ ଆଧ୍ୟାତ୍ମକତାର ପ୍ରଭାବ ଉପରେ ଆଲୋକପାତ କରିବାସହ ଏହାଦ୍ୱାରା ସାହିତ୍ୟ ଶାନ୍ତିର ବାର୍ତା ବହନ ଓ ପ୍ରସାର କରିପାରିବ ବୋଲି ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ସମାରୋହରେ ଓଡ଼ିଶା ବୈଷୟିକ ବିଶ୍ୱବିଦ୍ୟାଳୟର ଏକାଡେମିକ ଡିନ୍ ଡଃ ଲୋକନାଥ ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ନିଜର ବକ୍ତବ୍ୟ ଉପସ୍ଥାପନ କରିବା ସହିତ ଆଧୁନିକ ଓଡ଼ିଆ ସାହିତ୍ୟଧାରା ସଂପର୍କରେ ବିଶ୍ଲେଷଣ କରିଥିଲେ । ଓଡ଼ିଆ ସାହିତ୍ୟ ପ୍ରତି ପାଠ୍ୟକ୍ରମରେ ଗୁରୁତ୍ୱ ଦିଆଯାଉନଥିବାରୁ ସାଂପ୍ରତିକ ଓଡ଼ିଶାରେ ଓଡ଼ିଆ ଭାଷାର ଦୀର୍ଘ ଅବକ୍ଷୟର ଆଶଙ୍କା ଅଛି ବୋଲି ଦର୍ଶାଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ତଥାପାଣ୍ଡବ ଜେନା ଫାଉଣ୍ଡେସନର ଅଧ୍ୟକ୍ଷ ସନ୍ତୋଷ ଜେନା ଅନଗ୍ରସର ଛାତ୍ରଛାତ୍ରୀଙ୍କର ଶିକ୍ଷାଗତ ବିକାଶ ସମ୍ଭବ ହେଲେ ସମାଜ ଓ ସାହିତ୍ୟର ଉନ୍ନତି ହେବ ବୋଲି ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ । ଉତ୍ସବରେ ଜଟଣୀ ସାହିତ୍ୟ ସଂସଦର ମୁଖପତ୍ର ‘ଚିହ୍ନ’ ଉନ୍ମୋଚିତ ହୋଇଥିଲା । ଏହି ସାମ୍ବତ୍ସରିକ ଉତ୍ସବ ଅବସରରେ ସଂସଦ ପକ୍ଷରୁ ଇଂ ଭକ୍ତବନ୍ଧୁ ଚୌଧୁରୀଙ୍କ ଉପନ୍ୟାସ ଅମ୍ଲାନ ପ୍ରତିଭା, ସୁରେଶଚନ୍ଦ୍ର ରଥଙ୍କର ଗଳ୍ପ ପୁସ୍ତକ ଭୂତଭାଇ ଏବ ପଦ୍ମଲୋଚନ ସାହୁଙ୍କ କବିତା ବହି ସ୍ମୃତିରୁ ସାଉଁଟା ଫୁଲକୁ ଓଡ଼ିଆ ସାହିତ୍ୟ ଉଦ୍ଦେଶ୍ୟରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ପଟ୍ଟନାୟକ ଲୋକାର୍ପଣ କରିଥିଲେ । ଏହା ସହିତ ୫ ଜଣ ବିଶିଷ୍ଟ ସାହିତ୍ୟିକଙ୍କୁ ସାରସ୍ୱତ ସମ୍ମାନ ପ୍ରଦାନ କରାଯିବା ସହିତ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କବିତା ପଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ କବି ସନ୍ତୋଷ ମିଶ୍ର, ସୁରେନ୍ଦ୍ର କୁମାର ମିଶ୍ର, ସତ୍ୟବାଦୀ ସାହୁ, ଶ୍ୟାମସୁନ୍ଦର ତ୍ରିପାଠୀ, ଭକ୍ତବନ୍ଧୁ ଚୌଧୁରୀ, ରଶ୍ମିତା ନାୟକ, ସୁକାନ୍ତି ମହାପାତ୍ର, ସୌଦାମିନୀ ବେହେରା, ଦେବଯାନୀ ରାୟ, ପଦ୍ମନାଭ ପାଣିଗ୍ରାହୀ, ପଦ୍ମଲୋଚନ ସାହୁ,ଆଦିନାରାୟଣ ଖଣ୍ଡୁଆଳ, ରୋହିତ କୁମାର ଚମ୍ପତି, ରମେଶ ଶ୍ରୀଚନ୍ଦନ, ଇତିଶ୍ରୀ ସାହୁ, ବିକ୍ରମ ଚମ୍ପତି, ଜୟଶ୍ରୀ ପଟ୍ଟନାୟକ, ଜୟଶ୍ରୀ ଦାଶଙ୍କ ସମେତ ଖୋର୍ଦ୍ଧା, ଡେଲାଙ୍ଗ, ଭୁବନେଶ୍ୱର ଏବଂ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ଲିଟରାରୀ କ୍ଲବର ସଦସ୍ୟସଦସ୍ୟାମାନେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଉତ୍ସବରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ସଦାଶିବ ମିଶ୍ର, ସନ୍ତୋଷ ମିଶ୍ର, ଦିବ୍ୟଲୋଚନ ଭାରିମଲ୍ଲ, ଡଃ ପ୍ରମୋଦଚନ୍ଦ୍ର ଦାଶ ଏବଂ ବିପିନ ବିହାରୀ ବେହେରାଙ୍କୁ ସାରସ୍ୱତ ସମ୍ମାନ ଅର୍ପଣ କରାଯାଇଥିଲା । ଏହି ଅବସରରେ ଜଟଣୀର ତିନିଜଣ କୃତୀ ଛାତ୍ରଛାତ୍ରୀ, ଏବଂ ସଂସଦ ପକ୍ଷରୁ ଆୟୋଜିତ ସ୍ୱରଚିତ କବିତା ଆବୃତି ତଥା ବକ୍ତୃତା ପ୍ରତିଯୋଗିତାର ଛଅଜଣ ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଉପସଭାପତି ଆଦିନାରାୟଣ ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.