ପ୍ରେମ ପାଇଁ ମହାଭାରତ

କାକଟପୁର : ପ୍ରେମ କରିବାର ସାତବର୍ଷ ପରେ ଦୁଇ ପରିବାରଙ୍କ ସହମତିରେ ସ୍ଥିର ହେଲା ବାହାଘର। ବାଜା ବାଣ ରୋଷଣୀ ନେଇ ବର ଗଲା କନିଆଁ ଘରକୁ ବାହା ହେବାପାଇଁ । ବର କନିଆଁ ବେଦିରେ ବସି ବାହା ହେବା ପୂର୍ବରୁ ଆରମ୍ଭ ହୋଇଗଲା ମହାଭାରତ। ଏ ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ନାନପୁର ଗ୍ରାମରେ। ଘଟଣା ଅନୁଯାଇ ନାନପୁର ଗ୍ରାମର ସ୍ମରଣିକା ନାୟକଙ୍କ ସେହିଗ୍ରାମର ପୁଅ ତ୍ରିନାଥ ସହିତ ୨୦୧୫ ମସିହାରୁ ପ୍ରେମ ସମ୍ପର୍କ ରହିଛି । ଦୁହିଙ୍କ ପ୍ରେମ ସମ୍ପର୍କ ଖବର ଝିଅ ଘର ଲୋକ ଜାଣିଲା ପରେ ଝିଅକୁ ବାରଣ କରିଥିଲେ ।

ଏମିତିକି ପୁଅ ଠାରୁ ଦୂରେଇ ରହିବାକୁ ମାଡ ମଧ୍ୟ ମାରିଥିଲେ। କିନ୍ତୁ ଝିଅ ସ୍ମରଣିକା ନିଜ ଜିଦରେ ଅଟଳ ରହିବା ସହିତ ପ୍ରେମ କରୁଥିବା ଯୁବକ ତ୍ରିନାଥଙ୍କୁ ହିଁ ବିବାହ କରିବାକୁ ଜିଦ୍‌ ଧରି ବସିଲେ। ଝିଅର ଜିଦ ଆଗରେ ବାପା ମା ମୁଣ୍ଡ ନୁଆଁଇ ତ୍ରିନାଥଙ୍କ ସହିତ ବାହା ଦେବାକୁ ରାଜି ହୋଇଥିଲେ । ଦୁଇ ପରିବାରର ସହମତି କ୍ରମେ ବିବାହ ଲଗ୍ନ ମଧ୍ୟ ସ୍ଥିର କରାଗଲା । ତ୍ରିନାଥ ବରଯାତ୍ରୀ ସହ ରୋଷଣୀ ନେଇ କନିଆଁ ଘରକୁ ବିବାହ କରିବାକୁ ଗଲେ। ସେଠାରେ ପହଞ୍ଚିବା ପରେ କିନ୍ତୁ ଆରମ୍ଭ ହୋଇଗଲା ମହାଭାରତ।କନିଆଁ ସାଜିଥିବା ସ୍ମରଣିକାଙ୍କ ଦଦା, ବଡବାପା କୁଆଡ଼େ ଗଣ୍ଡଗୋଳ ଆରମ୍ଭ କରିଦେଲେ। ଏ ବାହାଘର ହୋଇପାରିବ ନାହିଁ ବୋଲି କହିବା ସହ ବେଦୀକୁ ଭାଙ୍ଗି ଦେଲେ । ଚେୟାର ଟେବୁଲ, ଆସବାବ ପତ୍ର ଏବଂ ବିହାଘର ପାଇଁ ବସିଥିବା ଶୁଭ କଳସକୁ ମଧ୍ୟ ଗଡ଼ାଇ ଦେଲେ । ଭୟରେ ବରପକ୍ଷ ବରକୁ ଫେରାଇ ନେଇ ଘରକୁ ପଳାଇ ଆସିଲେ।

ସେପଟେ ବର ଫେରିଯିବା ପରେ କନିଆଁ ମଙ୍ଗୁଳା ରାହିଗଲା। ଉପାୟ ନପାଇ ମଙ୍ଗୁଳା କନ୍ୟା ସ୍ମରଣିକା ନିଜ ଘରୁ ଚାଲି ଚାଲି ବର ଘରକୁ ଆସିଗଲେ। ଶେଷରେ ବର ଘର ଲୋକମାନେ ନିଜ ଘରେ ସେମାନଙ୍କ ବାହାଘର କଲେ । ତେବେ ଏତେ କାଣ୍ଡ କରିବା ପରେ ବି ମନ ଶାନ୍ତି ହେଲାନି ଯେ ପୁଣି କନିଆଘର ଲୋକେ ବର ଘରେ ପହଞ୍ଚି ତୁମୁଳ କାଣ୍ଡ ଆରମ୍ଭ କରିଦେଲେ । ସେଠାରେ ବେଦିକୁ ଭାଙ୍ଗି ସବୁ ଜିନିଷ ଫୋପଡ଼ା ଫିଙ୍ଗା କରିଦେଲେ । ଏମିତିକି ମାରଣାସ୍ତ୍ର ଦେଖାଇ ଥିଲେ । ବର ତ୍ରିନାଥ ଏବଂ ତାଙ୍କ ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦେଇ ଆସିଥିଲେ। ଏସବୁ ପରେ ବର ପରିବାର ଲୋକେ ଅସ୍ତରଙ୍ଗ ସାମୁଦ୍ରିକ ଥାନାରେ ଏତଲା ଦେଇଥିଲେ। ଆଉ ପରିବାରକୁ ସୁରକ୍ଷା ଦେବା ପାଇଁ ନବବଧୂ ସ୍ମରଣିକା ଅକୁଳ ନିବେଦନ କରିଛନ୍ତି। ଖବର ଲେଖିବା ବେଳେ ଉଭୟ ପରିବାର ଭିତରେ ବୁଝାମଣା ହୋଇ ଯାଇଥିବା ସୂଚନା ମିଳିଛି ।

Comments are closed.