ପ୍ରଥମ ଥର ପାଇଁ ଭାରତରେ ମିଳିଲା ଲିଥିୟମ୍ ଭଣ୍ଡାର, ଜାଣନ୍ତୁ କଣ ଏ ଲିଥିୟମ

ନୂଆଦିଲ୍ଲୀ : ଧଳା ସୁନା କୁହାଯାଉଥିବା ଲିଥିୟମ ଭଣ୍ଡାର ପ୍ରଥମଥର ପାଇଁ ଭାରତରେ ଠାବ ହୋଇଛି। ଇଭି ବା ଇଲେକ୍ଟ୍ରିକ୍ ଭେହିକିଲର ପ୍ରମୁଖ ଅଂଶ ଭାବେ ଜଣାଣୁଣା ଲିଥିୟମର ଡିମାଣ୍ଡ ସାରା ବିଶ୍ୱରେ ବେଶ ଅଧିକ। ଏଭଳି ସ୍ଥିତିରେ ଜମ୍ମୁ- କଶ୍ମୀରର ରିଆସି ଜିଲ୍ଲାରୁ ୫.୯ ମିଲିୟନ ଟନର ଲିଥିୟମ ଖଣି ଠାବ କରିଛି ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ। ଏଥିସହ ଅନ୍ୟ କିଛି ରାଜ୍ୟରୁ ସର୍ଭେ ବେଳେ ସୁନା ଖଣି ମଧ୍ୟ ଠାବ ହୋଇଛି।

ଆଧୁନିକ ରିଚାର୍ଜେବୁଲ ବ୍ୟାଟେରିରେ ବ୍ୟବହାର ହେଉଥିବା ଲିଥିୟମ ଧାତୁ ପ୍ରଥମ ଥର ପାଇଁ ପାଇଁ ଭାରତରେ ଠାବ ହୋଇଥିବାରୁ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି। ଜମ୍ମୁ-କଶ୍ମୀରରୁ ୫୦ ଲକ୍ଷ ୯୦ ହଜାର ଟନ ଲିଥିୟମର ପ୍ରାକୃତିକ ଭଣ୍ଡାର ଠାବ ହୋଇଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

ଲିଥିୟମ ହେଉଛି ଏକ ଦୁର୍ଲଭ ତଥା ମୂଲ୍ୟବାନ ଅଣଲୌହ ଧାତୁ। ଏହାକୁ କାଚ, ସେରାମିକ୍, ଆଲୁମିନିୟମ, ଗ୍ରୀଜ୍, ଔଷଧ ଓ ଏୟାର କଣ୍ଡିସନର୍ ଆଦି ବିଭିନ୍ନ ଶିଳ୍ପରେ ବ୍ୟବହାର କରାଯାଏ। ତେବେ ଏହାର ଅଧିକ ଡିମାଣ୍ଡ ରିଚାର୍ଜେବୁଲ ବ୍ୟାଟେରି ପାଇଁ ରହିଛି। ମୋବାଇଲ, ଲ୍ୟାପଟପ୍‌ ଠାରୁ ଆରମ୍ଭ କରି ବିଦ୍ୟୁତ ଚାଳିତ ଗାଡ଼ି ବା ଇଭିରେ ଲିଥିୟମ ଆୟନ ବ୍ୟାଟେରିର ବ୍ୟବହାର ହୋଇଥାଏ।

ଲିଥିୟମ ଏଭଳି ଏକ ଧାତୁ, ଯାହାର ଓଜନ ଓ ଆୟତନ ତୁଳନାରେ ବିଦ୍ୟୁତ ଶକ୍ତି ସଂରକ୍ଷଣ କ୍ଷମତା ଖୁବ୍ ଅଧିକ। ଏହା ଖୁବ୍ ହାଲୁକା ଧାତୁ। ଲିଡ୍-ଏସିଡ୍ ବ୍ୟାଟେରି ତୁଳନାରେ ଲିଥିୟମ ଆୟନ ବ୍ୟାଟେରିକୁ ହଜାର ହଜାର ଥର ରିଚାର୍ଜ କରାଯାଇପାରିବ। ତେଣୁ ଭାରତରୁ ଏଭଳି ଲିଥିୟମ ଭଣ୍ଡାର ଠାବ ହୋଇଥିବାରୁ ଏହା ଗେମ ଚେଞ୍ଜର ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି।

Comments are closed.