ଅର୍ଜୁନ ରାମ ମେଘୱାଲଙ୍କୁ ଆଇନ ବିଭାଗ

ନୂଆଦିଲ୍ଲୀ :ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥା ଉପରେ ଅଙ୍ଗୁଠି ଉଠାଇ ଗତ କିଛି ଦିନ ଧରି ଚର୍ଚ୍ଚାରେ ଥିବା କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ହାତରୁ ଖସିଗଲା ମନ୍ତ୍ରୀ ପଦ । ଆଇନ ମନ୍ତ୍ରୀ ପଦରୁ କିରଣ ରିଜଜୁଙ୍କୁ ବଦଳାଇ ତାଙ୍କ ସ୍ଥାନରେ ଅର୍ଜୁନ ରାମ ମେଘୱାଲଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ ଅନୁଯାୟୀ, ମନ୍ତ୍ରିମଣ୍ଡଳରେ ଅଦଳବଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ କରିଛନ୍ତି। ଏବେ କିରଣ ରିଜଜୁଙ୍କ ହାତରୁ ଆଇନ ମନ୍ତ୍ରାଳୟ ନିଆଯାଇଥିବା ବେଳେ ତାଙ୍କୁ ଭୂ-ବିଜ୍ଞାନ ମନ୍ତ୍ରାଳୟ ଦିଆଯାଇଛି। ମେଘୱାଲଙ୍କୁ ଅତିରିକ୍ତ ଭାବେ ଆଇନ୍‌ ମନ୍ତ୍ରାଳୟର ଦାୟିତ୍ୱ ହସ୍ତାନ୍ତର କରାଯାଇଛି।

କିରଣ ରିଜିଜୁ ଅରୁଣାଚଳର ପଶ୍ଚିମ ଲୋକସଭା ସିଟ୍‌ରୁ ବିଜେପି ସାଂସଦ ଅଛନ୍ତି। ଅପରପକ୍ଷେ, ଅର୍ଜୁନ ରାମ ମେଘୱାଲ ୨୦୦୯ ମସିହାରୁ ରାଜସ୍ଥାନର ବିକାନେରର ସାଂସଦ ଅଛନ୍ତି।

ଗତ କିଛି ମାସ ଧରି ନ୍ୟାୟପାଳିକା ବିରୋଧରେ ଟିପ୍ପଣୀ ଦେଇ ଚର୍ଚ୍ଚାରେ ରହି ଆସୁଥିଲେ କିରଣ ରିଜିଜୁ । ସେ ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ଏପରିକି ଏଥିରେ ଦୋଷ ଦୁର୍ବଳତା ଥିବା କଥା ବଖାଣିଥିଲେ। ଅବସରପ୍ରାପ୍ତ ବିଚାରପତି, ପ୍ରଖ୍ୟାତ ଜୁରିଷ୍ଟସ, ଆଇନଜୀବୀ ଓ ରାଜନୀତିକ ଦଳର ନେତାମାନେ ଏନଜେଏସି ସପକ୍ଷରେ ରହିଥିବା କହିଥିଲେ।

Comments are closed.