କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ, ଜାଣନ୍ତୁ

ନୂଆଦିଲ୍ଲୀ : ଘୃଣା ଓ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ମାମଲାରେ ଆଜି ସୁପ୍ରିମ୍‌କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆଜି ଏ ସଂକ୍ରାନ୍ତ ବିଭିନ୍ନ ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଟିଭି ଚାନେଲ୍‌ମାନଙ୍କର କାର୍ଯ୍ୟଶୈଳୀ ଏବଂ ଆଙ୍କରମାନଙ୍କ ଘୃଣା ସୃଷ୍ଟିକାରୀ କାର୍ଯ୍ୟକ୍ରମ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ ସବୁକିଛି ଟିଆର୍‌ପିକୁ ଆଧାର କରି ଚାଲିଛି। ଚାନେଲମାନେ ପରସ୍ପର ବିରୋଧରେ ଚଳାଇଥିବା ପ୍ରତିଯୋଗିତା ଅତ୍ୟନ୍ତ କଟୁତା, ତିକ୍ତତା ଓ ଘୃଣା ସୃଷ୍ଟିକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଚାଲିଛି । ଏଭଳି କାର୍ଯ୍ୟକ୍ରମ ସଂଚାଳନ କରିବା ସହ ଘୃଣାର ପ୍ରଚାର ପ୍ରସାର କରୁଥିବା ଆଙ୍କରମାନଙ୍କ କାର୍ଯ୍ୟକ୍ରମ ବନ୍ଦ କରିବାକୁ ହେବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

ମିଡିଆ ସମାଜରେ ବିଭେଦ ଓ ବିଭାଜନ ସୃଷ୍ଟି କରିପାରିବ ନାହିଁ ବୋଲି କଡ଼ା ମତ ରଖି ଜଷ୍ଟିସ୍‌ କେ.ଏମ୍‌. ଯୋଶେଫ କହିଥିଲେ ଯେ ଖବରକାଗଜ ତୁଳନାରେ ଦୃଶ୍ୟ ମାଧ୍ୟମ ଅଧିକ ଲୋକଙ୍କୁ ପ୍ରଭାବିତ କରୁଛି। ଆଙ୍କରମାନଙ୍କ ଦ୍ବାରା ଚାଞ୍ଚଲ୍ୟ ଓ ଘୃଣା ସୃଷ୍ଟିକାରୀ ଏଜେଣ୍ଡା କାର୍ଯ୍ୟକାରୀ ହେଉଛି । ଏଭଳି ଆଙ୍କରଙ୍କୁ ହଟାଇବା ପାଇଁ ‘ନ୍ୟୁଜ୍‌ ବ୍ରୋଡ୍‌କାଷ୍ଟର୍ସ ଆଣ୍ଡ୍‌ ଡିଜିଟାଲ ଏସୋସିଏସନ’ କି ପଦକ୍ଷେପ ନେଇଛି ବୋଲି ଜଷ୍ଟିସ୍‌ ଯୋଶେଫ ପ୍ରଶ୍ନ କରିଛନ୍ତି। ଆଦୌ ନିରପେକ୍ଷ ନଥିବା ଆଙ୍କରମାନେ ଘୃଣାଭରା କାର୍ଯ୍ୟକ୍ରମ ଦ୍ବାରା ଦର୍ଶକଙ୍କ ଉପରେ ପ୍ରଭାବ ବିସ୍ତାର କରିବାକୁ ଚାହୁଛନ୍ତି ଏବଂ ସେମାନେ ଯାହାସବୁ କହୁଛନ୍ତି ତାହା ପୂରା ଦେଶକୁ ପ୍ରଭାବିତ କରୁଛି ବୋଲି ଖଣ୍ଡପୀଠ କହିଛନ୍ତି। ପ୍ରସାରଣ ନୀତି ଉଲ୍ଲଂଘନ କରୁଥିବା ଆଙ୍କରଙ୍କୁ ହଟାଇବା ଏବଂ ଚାନେଲମାନଙ୍କ ବିରୋଧରେ ମୋଟା ଅଙ୍କର ଜୋରିମାନା ଲାଗୁ କରିବା ପାଇଁ ଖଣ୍ଡପୀଠ ଗୁରୁତ୍ବାରୋପ କରିଛନ୍ତି।

Comments are closed.