କିଡ୍‌ନି ପ୍ରତିରୋପଣ ପାଇଁ ଲାଲୁ ଗଲେ ସିଙ୍ଗାପୁର

ପାଟନା: କିଡ୍‌ନି ପ୍ରତିରୋପଣ କରାଇବା ଲାଗି ଶୁକ୍ରବାର ରାତିରେ ‘ଆର୍‌ଜେଡି’ ସୁପ୍ରିମୋ ଲାଲୁପ୍ରସାଦ ଯାଦବ ସାନପୁଅ ତେଜସ୍ବୀ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହିତ ସିଙ୍ଗାପୁର ଯାତ୍ରା କରିଛନ୍ତି।ବୃକ୍କ (କିଡ୍‌ନି) ସମସ୍ୟାର ଚିକିତ୍ସା ନିମନ୍ତେ ପୂର୍ବରୁ ସିଙ୍ଗାପୁର ଯାଇଥିବା ୭୪ ବର୍ଷିୟ ଲାଲୁ ଯାଦବ ଗତ ମାସରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ।

ପ୍ରାରମ୍ଭିକ ଯାଞ୍ଚ ଏବଂ ପରୀକ୍ଷାନିରୀକ୍ଷା ପରେ ଡିସେମ୍ବର ପ୍ରଥମ ସପ୍ତାହରେ କିଡ୍‌ନି ପ୍ରତିରୋପଣ ନିମନ୍ତେ ତାଙ୍କର ଅସ୍ତ୍ରୋପଚାର କରାଯିବ। ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା ବେଳେ ‘ଆର୍‌ଜେଡି’ ନେତା ତେଜସ୍ବୀ ଯାଦବ କହିଛନ୍ତି, ପ୍ରତିରୋପଣ ସଫଳ ହେବ ବୋଲି ଆମର ପୂର୍ଣ୍ଣ ବିଶ୍ବାସ। ଆଶୁ ଆରୋଗ୍ୟ କାମନା କରି ବାପାଙ୍କର ଶୁଭେଚ୍ଛୁମାନେ ମଧ୍ୟ ପ୍ରାର୍ଥନା କରିଛନ୍ତି।

ଜାମିନ ପାଇ ବାହାରିଥିବା ଲାଲୁ ଯାଦବ ଗୋଖାଦ୍ୟ ମାମଲାରେ ଜେଲ୍‌ରେ ଥିଲେ। ସେତେବେଳେ ମଧ୍ୟ ସେ ଚିକିତ୍ସା ନିମନ୍ତେ ଅନେକ ଥର ଦିଲ୍ଲୀ ଓ ରାଞ୍ଚି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମଧୁମେହ, ରକ୍ତଚାପ ଏବଂ ବୃକ୍କ ସମସ୍ୟା ସମେତ ସେ ଏକାଧିକ ରୋଗରେ ଆକ୍ରାନ୍ତ ହୋଇପଡ଼ିଛନ୍ତି।

Comments are closed.