କେନ୍ଦ୍ର ଉପରେ ବର୍ଷିଲେ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି ହେବା ପରେ କେନ୍ଦ୍ର ସରକାର ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ବାକ୍ ଯୁଦ୍ଧ ଆହୁରି ଜୋର ଧରିଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ଦେଶର ବିକାଶ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଉପରେ ନିଶାଣ ସାଧିଛନ୍ତି। ସେ କହିଛନ୍ତି ବିଜେପି ଦେଶ ବିରୋଧୀ କାମ କରୁଛି।
ଗୋଟିଏ ଟୁଇଟରେ ଅରବିନ୍ଦ କେଜ୍ରିଓ୍ଵାଲ୍ କହିଛନ୍ତି, ଯେଉଁ ସମୟରେ ସାଧାରଣ ଜନତା ଦରବୃଦ୍ଧି ମାଡରେ ବେହାଲ, କୋଟି କୋଟି ଯୁବ ବେରୋଜଗାର, ଏହି ସମୟରେ କେନ୍ଦ୍ର ସମସ୍ତ ରାଜ୍ୟ ସରକାରଙ୍କ ସହ ମିଶି ଏହା ବିରୋଧରେ ଲଢିବା ଉଚିତ୍। ମାତ୍ର ଏମିତି ନକରି କେନ୍ଦ୍ର ସରକାର ଦେଶ ବିରୋଧରେ ଲଢୁଛନ୍ତି। ସକାଳୁ ଉଠୁ ଉଠୁ ସିବିଆଇ ଏବଂ ଇଡି ଖେଳ ଆରମ୍ଭ କରି ଦେଉଛନ୍ତି। ଏମିତିରେ କଣ ଦେଶ ବିକାଶ କରିବ ?
ଏହା ପୂର୍ବରୁ ଲୁକଆଉଟ୍ ନୋଟିସ୍ ଜାରି ହେବା ପରେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କ୍ଷୁବ୍ଧ ପ୍ରକାଶ କରିଛନ୍ତି। ସେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ମୁଁ ଖୋଲାଖୋଲି ବୁଲୁଛି। କୁହନ୍ତୁ କେଉଁଠି କି ଯିବି ?
ସେ କହିଛନ୍ତି, ଆପଣଙ୍କ ସମସ୍ତ ରେଡ୍ ଫେଲ୍ ମାରିଲା। ଏଜେନ୍ସିକୁ କିଛି ମିଳିଲାନି। ଗୋଟିଏ ଟଙ୍କାର ହେରାଫେରି ମିଳିଲାନି। ଏବେ ଆପଣ ଲୁକଆଉଟ୍ ନୋଟିସ୍ ଜାରି କରିଛନ୍ତି ଯେ, ମନୀଷ ସିସୋଦିଆ ମିଳୁ ନାହାନ୍ତି। ଏମିତି ନୌଟଙ୍କି କାହିଁକି କରୁଛନ୍ତି ମୋଦୀ ଜୀ ? ମୁଁ ଖୁଲମଖୁଲା ଦିଲ୍ଲୀରେ ବୁଲୁଛି, ଜଣାନ୍ତୁ ମୋତେ କେଉଁଠି କି ଯିବାର ଅଛି ?
ସୂଚନାଯୋଗ୍ୟ, ସିବିଆଇ ମନୀଷ ସିସୋଦିଆ ଏବଂ ୧୨ ଅନ୍ୟ ଲୋକଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରିଛି। ଅଭିଯୋଗ ହୋଇଛି ଯେ, ଏହି ସମସ୍ତ ଲୋକ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତିରେ ସଂଶ୍ଲିଷ୍ଟ ଅଛନ୍ତି। ଲୁକଆଉଟ୍ ନୋଟିସ୍ ଜାରି ହେବା ପରେ ଏହି ସମସ୍ତଙ୍କୁ ଦେଶ ବାହାରକୁ ଯିବା ମୁସ୍କିଲ ହୋଇଯିବ। ତେଣୁ ଏହି ଲୋକେ ବର୍ତ୍ତମାନ ଦେଶ ଛାଡି ଯାଇ ପାରିବେ ନାହିଁ।
Comments are closed.