ଏନଡିଏରେ ଜିତନ ରାମ ମାଂଝୀ
ନୂଆଦିଲ୍ଲୀ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ହାମ୍ (ହିନ୍ଦୁସ୍ତାନୀ ଅୱମ ମୋର୍ଚ୍ଚା) ମୁଖ୍ୟ ଜିତନ ରାମ ମାଂଝି ବୁଧବାର ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ୪୫ ମିନିଟ୍ ଧରି ମାଂଝି ଏବଂ ଶାହ କଥାବାର୍ତ୍ତା ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଜିତନ ରାମ ମାଂଝିଙ୍କ ହାମ୍ ଦଳ ଏନ୍ଡିଏ ମେଣ୍ଟ ଅଧୀନରେ ବିଜେପି ସହ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ। ଗତ ଜୁନ୍ ୧୩ ତାରିଖରେ ବିହାର କ୍ୟାବିନେଟରୁ ମନ୍ତ୍ରୀ ଭାବେ ଇସ୍ତଫା ଦେଇଥିବା ହାମ୍ ଦଳର ମୁଖ୍ୟଙ୍କ ପୁଅ ସନ୍ତୋଷ କୁମାର ସୁମନ ମଧ୍ୟ ଶାହଙ୍କ ସହ ବୈଠକରେ ଯୋଗ ଦେଇଥିଲେ।
ଉଲ୍ଲେଖଯୋଗ୍ୟ ଯେ ଜିତନ ରାମ ମାଂଝି ଗତକାଲି ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ରାଜଭବନରେ ଭେଟି ମହାମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରୁଥିବା ନେଇ ସରକାରୀ ଭାବେ ଏକ ଚିଠି ଦେଇଥିଲେ। ମାଂଝି କହିଥିଲେ, ମହାମେଣ୍ଟ ସରକାର ଗଠନ ସମୟରେ ମୋ ଦଳ ମହାମେଣ୍ଟକୁ ସମର୍ଥନ କରିଥିଲା। କିନ୍ତୁ ଏବେ ଆମେ ଏହି ସମର୍ଥନ ପ୍ରତ୍ୟାହାର କରୁଛୁ। ଉଲ୍ଲେଖଯୋଗ୍ୟ ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଜିତନ ରାମ ମାଂଝିଙ୍କ ମଧ୍ୟରେ ବିବାଦ ହେବାପରେ ମାଂଝି ମହାମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରିନେଲେ।
Comments are closed.