ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ ମେଣ୍ଟ ଇଣ୍ଡିଆ ସାଂସଦ

ନୂଆଦିଲ୍ଲୀ : ବିରୋଧୀ ଇଣ୍ଡିଆ ମେଣ୍ଟର ସାଂସଦମାନେ ଆଜି ମଣିପୁର ହିଂସା ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ମଣିପୁର ପ୍ରସଙ୍ଗରେ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ଦାବି କରି ସେମାନେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଉକ୍ତ ପ୍ରସଙ୍ଗରେ ସେମାନେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ମଣିପୁରରେ ଶାନ୍ତି ଫେରାଇ ଆଣିବାପାଇଁ ପ୍ରଧାନମନ୍ତ୍ରୀ ନିଜେ ମଣିପୁର ଯିବାପାଇଁ ବିରୋଧୀ ଦଳ ନେତାମାନେ ଦାବି କରିଛନ୍ତି। ମଣିପୁର ଯାଇଥିବା ପ୍ରତିନିଧି ଦଳର ୨୧ ସଦସ୍ୟଙ୍କ ସହ ଇଣ୍ଡିଆ ମେଣ୍ଟର ମୋଟ୍‌ ୩୧ ଜଣ ସଦସ୍ୟ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି।

ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ ହୋଇଥିବା ସ୍ମାରକପତ୍ରରେ ୩୧ ବିରୋଧୀ ଦଳ ନେତା ମଧ୍ୟ ହରିୟାଣାର ନୁହରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ପ୍ରସଙ୍ଗ ଉଠାଇଛନ୍ତି। ମଣିପୁର ସ୍ଥିତି ଅତ୍ୟନ୍ତ ଭୟଙ୍କର ଏବଂ ମଣିପୁରରେ ଆଇନ ଶୃଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି ବୋଲି ସେମାନେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଫିସ ନିକଟରୁ ମାତ୍ର ୧୦୦ କିମି ଦୂରରେ ଘଟୁଥିବା ଘଟଣା ପ୍ରତି ବି କେନ୍ଦ୍ର ସରକାରଙ୍କର କିଛି ଖାତିର ନାହିଁ ବୋଲି ବିରୋଧୀ ସାଂସଦମାନେ ଅଭିଯୋଗ କରିଛନ୍ତି।

Comments are closed.