ପୁଣି ମଇଦାନରେ ମୁହାଁମୁହିଁ ହେବେ ଭାରତ ଅଷ୍ଟ୍ରେଲିଆ

୨୦୦୩ ମସିହା ମାର୍ଚ୍ଚ ୨୩ରୁ ୨୦୨୩ ମସିହା ଜୁନ। ଦୀର୍ଘ ୭୩୮୧ ଦିନ ପରେ ପୁଣି ଥରେ ଆଇସିସିର କୌଣସି ଟ୍ରଫି ପାଇଁ ଲଢ଼େଇ କରିବାକୁ ଯାଉଛନ୍ତି ଭାରତ ଓ ଅଷ୍ଟ୍ରେଲିଆ। ୭୩୮୧ ଦିନ ତଳେ ପୁରୁଷ ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତୀୟ ଖେଳାଳି ଓ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଥିଲା କଙ୍ଗାରୁ ଟିମ।

ହେଲେ ଏବେ ଗୋଟିଏ ଭିନ୍ନ ପିଢ଼ିର ଭାରତୀୟ କ୍ରିକେଟର ଅଷ୍ଟ୍ରେଲିଆକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭେଟିବାକୁ ଯାଉଛନ୍ତି। ଲଣ୍ଡନର କିଆ ଓଭାଲରେ ଏହି ମ୍ୟାଚ୍‌ ଆଜି ଦିନ ୩ଟାରେ ଆରମ୍ଭ ହେବ।

୨୦ ବର୍ଷ ତଳେ ଅଷ୍ଟ୍ରେଲିଆ ଯେଉଁଭଳି ଭାରତୀୟ ଟିମକୁ ମାତ ଦେଇ ଦିନିକିଆରେ ବିଶ୍ୱ ବିଜେତା ବନିଥିଲା, ଏବେ ଟିମ ଇଣ୍ଡିଆ ପାଖରେ ଏହାର ମଧୁର ପ୍ରତିଶୋଧ ନେବାକୁ ସୁଯୋଗ ରହିଛି। ୨୦୨୧ରେ ମଧ୍ୟ ଭାରତୀୟ ଟିମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିଥିଲା। କିନ୍ତୁ ଦଳକୁ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବାକୁ ପଡ଼ିଥିଲା। ଏବେ ପୁଣି ଦଳ ପାଖରେ ଆଇସିସିର ଟେଷ୍ଟ ଗଦା ଜିତିବାର ସୁଯୋଗ ରହିଛି।

୨୦୦୩ ମସିହା ମାର୍ଚ୍ଚ ୨୩ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଖେଳା ଯାଇଥିଲା। ଏହାର ରେଜଲ୍ଟକୁ କୌଣସି ଭାରତୀୟ କେବେ ହେଲେ ଭୁଲି ପାରି ନାହାନ୍ତି। ସେମାନେ ଭୁଲିବାକୁ ଚେଷ୍ଟା କରୁଥିଲେ ହେଁ ଅନେକଙ୍କ ମୁଣ୍ଡରେ ଅଷ୍ଟ୍ରେଲିଆର ବଡ଼ ବିଜୟର ସ୍ମୃତି ତାଜା ହୋଇ ରହିଛି।

ଉକ୍ତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବା ସହ ପ୍ରଥମ ୧୪ ଓଭରରେ ୧୦୫ ରନ କରିଥିଲା। ଓପନର ଆଡାମ ଗିଲଖ୍ରୀଷ୍ଟ ଓ ମାଥ୍ୟୁ ହେଡେନ ଦଳକୁ ଦମଦାର ଆରମ୍ଭ ଦେଇଥିଲେ। ହରଭଜନ ସିଂହ ପ୍ରଥମେ ଗିଲଖ୍ରୀଷ୍ଟ ଓ ପରେ ହେଡେନଙ୍କୁ ଆଉଟ କରି ଦଳକୁ କମବ୍ୟାକ୍ କରାଇବାକୁ ଚେଷ୍ଟା କରିଥିଲେ।

ହେଲେ ଅଧିନାୟକ ରିକି ପଣ୍ଟିଂ ଓ ଡାମିନ ମାର୍ଟିନ ଭାରତୀୟ ବୋଲରଙ୍କୁ କୌଣସି ପ୍ରକାରର ସୁଯୋଗ ଦେଇ ନଥିଲେ। ପଣ୍ଟିଂ ୧୨୧ ବଲରେ ୧୪୦ ରନ କରିଥିବା ବେଳେ ମାର୍ଟିନ ୮୮ ରନର ଅପରାଜିତ ଇନିଂସ ଖେଳିଥିଲେ। ଅଷ୍ଟ୍ରେଲିଆ ୫୦ ଓଭରରେ ୩୫୯ ରନ କରିଥିଲା।

୩୬୦ ରନର ପିଛା କରୁଥିବା ଭାରତ ପ୍ରଥମ ଓଭରରେ ହିଁ ସଚିନ ତେନ୍ଦୁଲକରଙ୍କୁ ହରାଇଥିଲା। ଗ୍ଲେନ ମ୍ୟାଗ୍ରାଥଙ୍କ ବଲରେ ସଚିନ ପ୍ୟାଭିଲିୟନ ଫେରିଥିଲେ। ବୀରନ୍ଦ୍ରେ ସେହୱାଗ ଓ ରାହୁଲ ଡ୍ରାଭିଡଙ୍କୁ ଛାଡ଼ି ଦେଲେ ଭାରତର କୌଣସି ବ୍ୟାଟର ଅଷ୍ଟ୍ରେଲୀୟ ବୋଲରଙ୍କୁ ସାମ୍ନାକୁ କରି ପାରି ନଥିଲେ। ଶେଷରେ ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ୍‌କୁ ୧୨୫ ରନରେ ଜିତି ବିଶ୍ୱ ବିଜେତା ହୋଇଥିଲା।

ଏହି ମ୍ୟାଚ୍‌କୁ ୨ ଦଶନ୍ଧି ପୂରି ଗଲାଣି। ରିକି ପଣ୍ଟିଂଙ୍କ ଅଷ୍ଟ୍ରେଲିଆ ଏକତରଫା ଭାବେ ସୌରଭ ଗାଙ୍ଗୁଲିଙ୍କ ଟିମ ଇଣ୍ଡିଆର ହୃଦୟ ଭାଙ୍ଗି ଦେଇଥିଲା। ସମୟ ବିତି ଯାଇଥିଲେ ହେଁ ଉକ୍ତ ମ୍ୟାଚ୍‌ର ପରାଜୟର କ୍ଷତ ଚିହ୍ନ ଏବେ ବି ଭାରତୀୟ ପ୍ୟାନ୍ସଙ୍କ ମଧ୍ୟରେ ରହିଛି। ୨୦୦୩ରେ ଭାରତର ହୃଦୟ ଭାଙ୍ଗିଥିବା ବେଳେ ୨୦୨୩ରେ ଏହାକୁ ଯୋଡ଼ିବାର ସୁଯୋଗ ରହିଛି। କାରଣ ଟେଷ୍ଟ ଫାଇନାଲରେ ସେହି କଙ୍ଗାରୁ ଟିମ ଭାରତ ସାମ୍ନାରେ ଅଛି।

Comments are closed.