ଟଚ୍ ହାରି ବ୍ୟାଟିଂ କରିବ ଭାରତ

ଦୀର୍ଘ ୧୨ ବର୍ଷ ପରେ ଦିନିକିଆ ବିଶ୍ୱକପ ଫାଇନାଲ ଖେଳିବାକୁ ମୈଦାନକୁ ଓହ୍ଲାଇଛି ଟିମ ଇଣ୍ଡିଆ। ଏହି ମହାମୁକାବିଲାରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ହାରି ଯାଇଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ପାଟ କମିନ୍ସ ଟସ୍‌ ଜିତିବା ପରେ ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଛନ୍ତି। ଏହାର ଅର୍ଥ ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବ।

ଚଳିତ ବିଶ୍ୱକପର ୪ଟି ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଛି। ପ୍ରଥମେ ବୋଲିଂ କରିଥିବା ଦଳ ୩ ଥର ଜିତିଥିବା ବେଳେ ଅଷ୍ଟ୍ରେଲିଆ ଏକମାତ୍ର ଦଳ ଭାବେ ଆଗ ବ୍ୟାଟିଂ କରି ମ୍ୟାଚ୍‌ ଜିତିଛି। ତେଣୁ ଆଜିର ମୁକାବିଲା ବେଶ ରୋଚକ ରହିବ ବୋଲି କୁହାଯାଉଛି।

୨୦୦୩ରେ ଭାରତ ଓ ଅଷ୍ଟ୍ରେଲିଆ ଶେଷଥର ପାଇଁ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୋଇଥିଲେ। ଏଥିରେ ଅଷ୍ଟ୍ରେଲିଆ ବାଜି ମାରିଥିଲା। ସୌରଭ ଗାଙ୍ଗୁଲି ଟସ୍‌ ଜିତି ଅଷ୍ଟ୍ରେଲିଆକୁ ଉକ୍ତ ମ୍ୟାଚ୍‌ରେ ବ୍ୟାଟିଂ ପାଇଁ ନିମନ୍ତ୍ରଣ ଦେଇଥିଲେ। ଏବେ ରୋହିତ ଶର୍ମା ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଯାଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନରେନ୍ଦ୍ର ମୋଦି ଷ୍ଟାଡିୟମର ୫ନଂ ପିଚରେ ମ୍ୟାଚ୍‌ ଖେଳା ଯାଉଛି।

ଏହି ପିଚ୍‌ ସଂପୂର୍ଣ୍ଣ ଡ୍ରାଏ ଓ କିଛି ପ୍ୟାଚ୍‌ ମଧ୍ୟ ରହିଛି। ତେଣୁ ସ୍ପିନର ବୋଲରଙ୍କୁ ପିଚ୍‌ ସୁହାଇ ପାରେ। ତଥାପି ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନହାନ୍ତି। ଭାରତ ଆଜି ୨ ସ୍ପିନର- କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଏବଂ ୨ ଦ୍ରୁତ ବୋଲର ମହମ୍ମଦ ସିରାଜ, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମିଙ୍କ ସହ ପଡ଼ିଆକୁ ଓହ୍ଲାଇଛି।

Comments are closed.