ସୀମା ବିବାଦକୁ ନେଇ ଭାରତ ଚୀନ ଆଲୋଚନା

ନୂଆଦିଲ୍ଲୀ :ପୂର୍ବ ଲଦାଖର ଏଲଏସି ସ୍ଥିତିକୁ ନେଇ ଭାରତ ଓ ଚାଇନା କୂଟନୀତିକ ସ୍ତରରେ ଆଲୋଚନା କରିଛନ୍ତି। ବୁଧବାର ଏହି ଆଲୋଚନା ହୋଇଥିଲା। ଆଲୋଚନା ବେଳେ ସୀମାର ସ୍ଥିତି ସମ୍ପର୍କରେ ଉଭୟ ଦେଶ ସମୀକ୍ଷା କରିଥିଲେ। ଏଥିସହ ମୁକ୍ତ ଓ ନିରପେକ୍ଷ ଭାବେ ସୀମାର ବିଭିନ୍ନ ସ୍ଥାନରେ ଦୁଇ ଦେଶ ମୁତୟନ କରିଥିବା ସେନା ପ୍ରତ୍ୟାହାର ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି।

ସୀମା ସ୍ଥିତି ସମ୍ପର୍କରେ ପୁଣିଥରେ ବରିଷ୍ଠ କମାଣ୍ଡର୍ସ ସ୍ତରୀୟ ଆଲୋଚନା ପାଇଁ ମଧ୍ୟ ଉଭୟ ଦେଶ ରାଜି ହୋଇଥିବା ଜଣାପଡ଼ିଛି। ସୀମାରେ ତିକ୍ତତା ଯୋଗୁ ଭାରତ ଓ ଚାଇନା ମଧ୍ୟରେ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କରେ ଭଟା ସୃଷ୍ଟି ହୋଇଛି। ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ଓ ଶାନ୍ତି ବଜାୟୀ ରଖିବା ପାଇଁ ଉଭୟ ଦେଶ ଉଦ୍ୟମ କରିବେ ବୋଲି ବୈଠକ ବେଳେ ନିଷ୍ପତ୍ତି ହୋଇଛି।

ସୀମାରୁ ଡିସଏନଗେଜମେଣ୍ଟ ନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇ ନଥିଲେ ମଧ୍ୟ ୨୦୧୯ ପରେ ପ୍ରଥମଥର ପାଇଁ କୂଟନୀତିକ ସ୍ତରରେ ଏପରି ୱାନ ଟୁ ୱାନ ଆଲୋଚନା ଦୁଇ ଦେଶ ମଧ୍ୟରେ ହୋଇଛି। ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ(ପୂର୍ବ ଏସିଆ)ଙ୍କ ନେତୃତ୍ୱରେ ଗୋଟିଏ ଟିମ ବେଜିଂ ଯାଇ ଆଲୋଚନା କରିଛି। ୨୦୨୦ ଏପ୍ରିଲ-ମେ’ରେ ଦୁଇ ଦେଶ ମଧ୍ୟରେ ସାମରିକ ତିକ୍ତତା ଦେଖା ଯାଇଥିଲା। ଏହାପରେ ପ୍ରଥମଥର ପାଇଁ କୌଣସି ଭାରତୀୟ ପ୍ରତିନିଧି ମଣ୍ଡଳ ଚାଇନା ଗସ୍ତ କରି ଆଲୋଚନା କରିଛନ୍ତି।

ସରକାର ଗୋଟିଏ ବିବୃତିରେ କହିଛନ୍ତି ଯେ “ଦୁଇ ପକ୍ଷ ଭାରତ-ଚାଇନା ସୀମାର ୱେଷ୍ଟର୍ଣ୍ଣ ସେକ୍ଟରର ଏଲଏସି ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିସହ ବାକି ରହିଥିବା ଅଞ୍ଚଳରୁ ଡିସଏନଗେଜମେଣ୍ଟକୁ ତୁରନ୍ତ ମୁକ୍ତ ଓ ନିରପେକ୍ଷ ଭାବେ ଶେଷ କରିବାକୁ କଥା ହୋଇଛନ୍ତି। ଏହାଦ୍ୱାରା ୱେଷ୍ଟର୍ଣ୍ଣ ସେକ୍ଟର ସମେତ ପୂରା ଏଲଏସିରେ ସ୍ଥିରତା ଓ ଶାନ୍ତି ଫେରି ପାରିବ। ସେହିପରି ଦ୍ୱିପାକ୍ଷିକ ସମ୍ପର୍କ ପୁଣି ଥରେ ସ୍ୱାଭାବିକ ହେବ।”

Comments are closed.