କାହା ହାତରେ ରହିବ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ଵ
ନୂଆଦିଲ୍ଲୀ: କିଏ ହେବ କଂଗ୍ରେସର ନୂଆ ମୁଖିଆ? କାହା ହାତରେ ରହିବ ଦେଶର ସର୍ବପୁରାତନ ଦଳର ଦାୟିତ୍ୱ? ଏଥର ଜଣେ ଅଣ-ଗାନ୍ଧି ହେବେ କି ଦଳର ସଭାପତି? ଏନେଇ କଂଗ୍ରେସର ଶୀର୍ଷ ସ୍ତରରେ ବିତର୍କ ଚାଲିଛି। ଏପରିକି ସିଡବ୍ଲୁସି ବୈଠକରେ ଆଲୋଚନା ବି ହୋଇଛି। ଭୋଟିଂ ସହ ଅକ୍ଟୋବର ୧୯ରେ ଜଣାପଡିବ କାହାକୁ ଦଳର ଶୀର୍ଷ ଦାୟିତ୍ୱ ମିଳୁଛି। ଏହାରି ଭିତରେ ଅନେକ ବରିଷ୍ଠ ନେତାଙ୍କ ନାଁ ସାମ୍ନାକୁ ଆସିଛି। ଆଉ ଏହି ରେସ୍ରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ବି ସାମିଲ ହୋଇପାରନ୍ତି।
କଂଗ୍ରେସର ବରିଷ୍ଠ ନେତା ତଥା ତିରୁବନ୍ତପୁରର ସାଂସଦ ଶଶି ଥରୁର କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେ ଏନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାଁନ୍ତି। ଶୀଘ୍ର ସେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନା ନାହିଁ ତାହା ଉପରେ ନିଷ୍ପତ୍ତି ନେବେ।
କଂଗ୍ରେସ ସଭାପତି ପଦ ନିର୍ବାଚନ ପାଇଁ କ୍ୟାମେରା ଆଗରେ କିଛି କହିବାକୁ ମନା କରିଥିବା ବେଳେ ଥରୁର କିନ୍ତୁ ଏକ ଆର୍ଟିକିଲ ଲେଖିଛନ୍ତି। ଏଥିରେ ସେ “ମୁକ୍ତ ଏବଂ ନିରପେକ୍ଷ” ନିର୍ବାଚନ ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଆର୍ଟିକିଲରେ ସେ କହିଛନ୍ତି ଯେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁସି) ର ଏକ ଡଜନ ଆସନ ପାଇଁ ମଧ୍ୟ ଦଳ ନିର୍ବାଚନ ଘୋଷଣା କରିବା ଉଚିତ୍।
Comments are closed.