ଆଗୁଆ ଜାମିନ ପାଇଁ ଆବେଦନ କଲେ ଇମ୍ରାନ ,ଜାଣନ୍ତୁ କାହିଁକି

ଇସ୍‌ଲାମାବାଦ୍‌: ‘ଆତଙ୍କବାଦ ନିରୋଧୀ ଆଇନ’ରେ ବୁକ୍‌ ହେବା ପରେ ଗରିଫଦାରି ଏଡ଼ାଇବାକୁ ଆଗୁଆ ଜାମିନ ନିମନ୍ତେ ଆଜି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଇସ୍‌ଲାମାବାଦ ହାଇକୋର୍ଟରେ ଆବେଦନ କରିଛନ୍ତି।
ଇମ୍ରାନ୍‌ ଖାଁ ଅଧ୍ୟକ୍ଷ ଥିବା ‘ପାକିସ୍ତାନ ତେହ୍‌ରୀକ୍‌-ଏ-ଇନ୍‌ସାଫ୍‌’ର (ପିଟିଆଇ) ‘ଲିଗାଲ୍‌ ଟିମ୍‌’ ତାଙ୍କ ତରଫରୁ ଉକ୍ତ ଆଗୁଆ ଜାମିନ ଆବେଦନ ଦାଖଲ କରିଛି। ପାକିସ୍ତାନୀ ଗଣମାଧ୍ୟମ ‘ଦି ନେସନ୍‌’ ରିପୋର୍ଟ ଅନୁସାରେ, ଯେତେବେଳେ ସମନ୍‌ ମିଳିବ ସେତେବେଳେ ଅଦାଲତରେ ହାଜର ହେବେ ବୋଲି ଉକ୍ତ ଆବେଦନ ପତ୍ରରେ ଖାଁ ଉଲ୍ଲେଖ କରିଛନ୍ତି। ସେଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଇମ୍ରାନ୍‌ ଖାଁଙ୍କର କ‌ୌଣସି ଅତୀତ ଅପରାଧିକ ରେକର୍ଡ ନାହିଁ ଏବଂ କେବେ କୌଣସି ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି।

ଆତଙ୍କବାଦ ଅଭିଯୋଗରେ ଇମ୍ରାନ୍‌ ଖାଁଙ୍କୁ ଗିରଫ କରିବା ଲାଗି ଶେହ୍‌ବାଜ୍‌ ଶରିଫ୍‌ଙ୍କ ନେତୃତ୍ବାଧୀନ ସରକାର ପ୍ରସ୍ତୁତି କରୁଛନ୍ତି ବୋଲି ରବିବାର ଦିନ ରିପୋର୍ଟ ପ୍ରକାଶ ପାଇବା ପରେ ପାକିସ୍ତାନରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି।

Comments are closed.