ରାଗିଗଲେ ଦିଦି ଉଦଘାଟନରେ ଦେବେନି ଯୋଗ

ପୁଣି ରଆଗିଗଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନୂଆଦିଲ୍ଲୀରେ ଗୁରୁବାର ନେତାଜୀ ଷ୍ଟାଚ୍ୟୂ ଉଦଘାଟନ ଉତ୍ସବରେ ଯୋଗ ଦେଇଥାନ୍ତେ ଦିଦି । କିନ୍ତୁ ତାଙ୍କୁ ସଠିକ୍‌ ଭାବେ ନିମନ୍ତ୍ରଣ କରା ଯାଇନଥିବାରୁ ଦିଦି ଏଥିରେ ଖପ୍ପା ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ‘ଗତକାଲି ଅର୍ଥାତ ବୁଧବାର ସନ୍ଧ୍ୟାରେ ତାଙ୍କୁ ଏ ନେଇ ଏକ ଚିଠି ମିଳିଥିଲା । ଆଉ ଇଭେଣ୍ଟ ବାବଦରେ ଜଣେ ବ୍ୟୁରୋକ୍ରାଟ୍‌ଙ୍କ ଜରିଆରେ ଚିଠି ଦିଆଯାଇଥିଲା । ଚିଠିରେ ଲେଖାଥିଲା ଯେ, ନେତାଜୀ ଷ୍ଟାଚ୍ୟୁ ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ଆପଣଙ୍କୁ ଗୁରୁବାର ସନ୍ଧ୍ୟା ୭ଟାରେ ନିମନ୍ତ୍ରଣ କରିଛନ୍ତି । ଆପଣ ସନ୍ଧ୍ୟା ୬ଟା ସୁଦ୍ଧା ପହଞ୍ଚିବା ଆବଶ୍ୟକ।’

ଏହାକୁ ନେଇ ଦିଦି କହିଛନ୍ତି, ‘ମୁଁ ଯେମିତି ତାଙ୍କ ଚାକର। ଜଣେ ସଚିବ କିଭଳି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖୁଛି? ସଂସ୍କୃତି ମନ୍ତ୍ରୀ କଣ ଏତେ ବଡ ହୋଇଗଲେଣି ଯେ ଚିଠି ଖଣ୍ଡେ ଲେଖିପାରିବେନି?’ ଏକ ରାଲିରେ ଯୋଗଦେଇ ଗୁରୁବାର ସକାଳେ ଏଭଳି କହିଛନ୍ତି ଦିଦି । ମମତା ବାନାର୍ଜୀ କହିଛନ୍ତି, ‘ସେଠିକୁ ଯିବାର ନାହିଁ । ତେଣୁ ନେତାଜୀଙ୍କୁ ସମ୍ମାନ ଜଣାଇବା ପାଇଁ କୋଲକାତାରେ ଥିବା ପ୍ରତିମୂର୍ତ୍ତି ନିକଟକୁ ଆସିଛି’।

ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ ଇଣ୍ଡିଆ ଗେଟ୍‌ ନିକଟରେ ନେତାଜୀଙ୍କ ପ୍ରତିମୂର୍ତ୍ତି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ରାଜପଥର ନାମ ପରିବର୍ତ୍ତନ କରାଯାଇ କର୍ତ୍ତବ୍ୟ ପଥ ରଖାଯିବାକୁ ଅଧିକାରିକ ଭାବେ ଘୋଷଣା କରିବେ ।

Comments are closed.