ମୁଁ ତାଜମହଲ ଧ୍ଵଂସ କରିବି ନାହିଁ କାହିଁକି ଏମିତି କହିଲେ ମମତା
କୋଲ୍କାତା: ମୁଁ ତାଜମହଲ ଧ୍ବଂସ କରିପକାଇବି ନାହିଁ ବୋଲି ଇତିହାସ ପାଠ୍ୟ ପୁସ୍ତକ ସଂଶୋଧନ ପ୍ରସଙ୍ଗରେ ‘ବିଜେପି’କୁ ସମାଲୋଚନା କରି ଗୁରୁବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।
ଗତକାଲି କୋଲ୍କାତାର ଅଲିପୁରଠାରେ ଅତ୍ୟାଧୁନିକ ‘ଧନଧାନ୍ୟ ଅଡିଟରିୟମ୍’ ଉଦ୍ଘାଟନ ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଲେ, ଆପଣମାନେ ଯଦି ମତେ ସମର୍ଥନ ଦେବେ ଆହୁରି ଅନେକ କିଛି ହେବ। ମୁଁ କିଛି ଜିନିଷ ଭାଙ୍ଗିବି ନାହିଁ। କାହାକୁ ଚାକିରିରୁ ଛଟେଇ କରିବି ନାହିଁ। ଆମେ ହଠାତ୍ ତାଜମହଲ ଭାଙ୍ଗି ପକାଇବୁ ନାହିଁ। ହଠାତ୍ ଭିକ୍ଟୋରିଆ ମେମୋରିଆଲ୍ ଭାଙ୍ଗି ଦେବୁ ନାହିଁ। ଇତିହାସ ବଦଳାଇ ଦେବାକୁ ଆମ୍ଭମାନଙ୍କ ମଧ୍ୟରୁ କାହାରି ସାଧ୍ୟ ନାହିଁ। ସେହି କାରଣରୁ ଭାରତର ଇତିହାସ ହିଁ ଭାରତର ସମ୍ପଦ।
ଭାରତର ଧର୍ମନିରପେକ୍ଷତା ହେଉଛି ବଙ୍ଗର ସମ୍ପଦ। ଯଦି ରାମକୃଷ୍ଣ ନ ଥା’ନ୍ତେ ଏହା ସମ୍ଭବ ହୋଇ ନ ଥାନ୍ତା। ଯଦି ସ୍ବାମୀ ବିବେକାନନ୍ଦ ନ ଥା’ନ୍ତେ ଏହା ସମ୍ଭବ ହୋଇ ନ ଥାନ୍ତା। ଯଦି ରବୀନ୍ଦ୍ରନାଥ ନ ଥା’ନ୍ତେ ଏହା ସମ୍ଭବ ହୋଇ ନ ଥାନ୍ତା। ଯଦି ନଜ୍ରୁଲ୍ ନ ଥା’ନ୍ତେ ଏହା ସମ୍ଭବ ହୋଇ ନ ଥାନ୍ତା। ବିଦ୍ୟାସାଗରଙ୍କଠାରୁ ରାଜା ରାମମୋହନ ରାୟଙ୍କ ପର୍ଯ୍ୟନ୍ତ ଆହୁରି ଅନେକ ଅଛନ୍ତି। ଆମେ ଆଜି ଏହି ସବୁ ବ୍ୟକ୍ତିତ୍ବଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରୁଛୁ ବୋଲି ମମତା ବାନାର୍ଜୀ କହିଛନ୍ତି।
Comments are closed.