ହାରିଗଲା ମାନବିକତା, ମୃତ ନବଜାତ ଶିଶୁ କନ୍ୟାକୁ ନଦୀରେ ଭସାଇଦେଲେ

ଅନୁଗୁଳ : ଲକ୍ଷ୍ମୀ ହୋଇଗଲେ ଅଦରକାରୀ । ଲୋଡ଼ା ହେଲାନାହିଁ ଝିଅ । ଏଭଳି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଛେଣ୍ଡିପଦା ଥାନା ରାଇପାଳ ଗ୍ରାମରେ ।ଏହି ଗ୍ରାମ ନିକଟଦେଇ ବହି ଯାଇଥିବା ଆଉଁଳି ନଦୀରୁ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି ।

ସୂଚନା ଅନୁସାରେ, ପାତ୍ରପଡା ପଞ୍ଚାୟତ ରାଇପାଳ ଗ୍ରାମ ନିକଟସ୍ଥ ଆଉଁଳି ନଦୀ ପୋଲ ନିକଟରେ ଏକ ନବଜାତ ଶିଶୁକନ୍ୟା ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ଶିଶୁକନ୍ୟାକୁ ଦେଖିବା ପାଇଁ ଭିଡ ଜମିଥିଲା । ଆଉଁଳି ନଦୀରେ ଭାସୁଥିବା ମୃତ ନବଜାତ ଶିଶୁକନ୍ୟାଟି ଆଉଁଳି ଗ୍ରାମର ହୋଇଥିବା ବେଳେ ଶିଶୁକନ୍ୟାର ଆଇ ଖବର ପାଇ ଆଉଁଳି ନଦୀରେ ଭାସୁଥିବା ଶିଶୁକନ୍ୟାକୁ ଉଦ୍ଧାର କରି ସେଠାରୁ ନେଇ ଯାଇଥିଲେ ।

ମୃତ ନବଜାତ ଶିଶୁକନ୍ୟାଟି ଜରପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ୍ମ ହୋଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନୁଗୋଳ ଜିଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ଶିଶୁର ମୃତ୍ୟୁ ହେବା ପରେ ରାତି ପ୍ରାୟ ୧୨ଟା ବେଳେ ଗାଁକୁ ଆଣିଥିଲେ । ଗାଁକୁ ଆସିବା ବାଟରେ ଆଉଁଳି ନଦୀ ପଡିବାରୁ ସେଠାରେ ନଦୀକୁ ଫୋପାଡି ଦେଇ ଘରକୁ ଯାଇଥିଲେ ।

ନଦୀ ପାଣିରେ ଶିଶୁଟି ଭାସିଯିବ ଭାବି ଫୋପାଡି ଦେଇଥିଲୁ କିନ୍ତୁ ନଭାସି କୂଳରେ ଲାଗିଯାଇଥିଲା ବୋଲି ଶିଶୁକନ୍ୟାର ଆଈ କହିଛନ୍ତି । ତାକୁ ଏବେ ନେଇ ପୋତି ଦେବେ ବୋଲି ସେ ପ୍ରକାଶ କରିଛନ୍ତି । ଏହି ଅଭାବନୀୟ ଘଟଣାଟି ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।

Comments are closed.