ଆସୁଛି ବଡ଼ ବର୍ଷା, ଆଜି ୧୮ ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କତା
ଦକ୍ଷିଣ ବାଂଲାଦେଶ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତା ୨ ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହେବା ସହ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡ ଉପରେ ଅଗ୍ରସର ହେବ। ଏହାସହିତ ବର୍ତ୍ତମାନ ମୌସୁମୀ ଟ୍ରଫ୍ ଲାଇନ୍ ମଧ୍ୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବି ରହିଛି। ଏହାଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସୋମବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକରେ ୭ରୁ ୨୦ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ସେହିପରି ବରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବଲାଙ୍ଗିର, ନୂଆପଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା (୭ରୁ ୧୧ ସେମି. ପର୍ଯ୍ୟନ୍ତ) ହୋଇପାରେ। ଏଥିପାଇଁ ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରିଛି। ପାଣିପାଗ କେନ୍ଦ୍ରର ସୂଚନା ଆଧାରରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ଏସ୍ଆରସିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଇଛି।
ପାଣିପାଗ କେନ୍ଦ୍ର କହିଛି ଯେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି। ଏବେ ଉତ୍ତର ବଙ୍ଗୋପସାଗର ଓଡ଼ିଶା ଉପକୂଳରେ ୩୫ରୁ ୪୫ କିମି ଓ ବେଳେବେଳେ ଝଟକା ପବନ ୫୫ କିମି ପର୍ଯ୍ୟନ୍ତ ବହିବାର ଆଶଙ୍କା ରହିଛି। ତେଣୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ମଙ୍ଗଳବାର ବର୍ଷାର ପ୍ରଭାବ ଅପେକ୍ଷାକୃତ କମ୍ ରହିବାକୁ ଥିବାବେଳେ ୨୮ରୁ ପୁଣିଥରେ ବର୍ଷାର ପ୍ରକୋପ ବଢ଼ିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।
ବିଭିନ୍ନ ମଡେଲ୍ର ଆକଳନ ଅନୁଯାୟୀ, ଆସନ୍ତା ୨୯ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛିି। ଏହି ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଆଶଙ୍କା ରହିଛି। ସେହିପରି ସେପ୍ଟେମ୍ବର ୪ ବେଳକୁ ଆଉ ଏକ ଲଘୁଚାପ ମଧ୍ୟ ସୃଷ୍ଟି ହେବାକୁ ଥିବା ବେଳେ ଦ୍ୱିତୀୟ ସପ୍ତାହରେ ପୁଣି ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ଆଶଙ୍କା କରାଯାଉଛି। ଘନ ଘନ ଲଘୁଚାପ ସୃଷ୍ଟି ହେବା ହେତୁ ରାଜ୍ୟରେ ପ୍ରଚୁର ବର୍ଷା ଓ ବିଭିନ୍ନ ନଦୀ ଫୁଲିବା ନେଇ ଆଶଙ୍କା କରାଯାଉଛି।
Comments are closed.