ଆଜି ହରିୟାଣା ସରକାରଙ୍କ ଶପଥ ଗ୍ରହଣରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

0

ହରିୟାଣାରେ ଭାଜପା ନେତୃତ୍ୱାଧୀନ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହେବେ। ଏନେଇ ମୁଖ୍ୟମନ୍ତ୍ରୀ ବୁଧବାର ୪ ଦିନିଆ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ହରିୟାଣା ଏବଂ ବମ୍ବେ ଗସ୍ତ କରିବେ। ଏହାସହ ଚଣ୍ଡିଗଡ଼ ଠାରେ ହେବାକୁ ଥିବା ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ମଧ୍ୟ ସେ ଯୋଗଦେବା କାର୍ଯ୍ୟକ୍ରମ ଅଛି।

 

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଚଣ୍ଡିଗଡ଼ଠାରେ ୧୭ ତାରିଖରେ ହରିୟାଣାର ନବନିର୍ବାଚିତ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ। ଅପରାହ୍ନରେ ଚଣ୍ଡିଗଡ଼ଠାରେ ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ସାମିଲ ହେବେ। ଏହାପରେ ମୁଖ୍ୟମନ୍ତ୍ରୀ ବମ୍ବେ ଗସ୍ତରେ ଯାଇ ୧୮ ତାରିଖ ଅପରାହ୍ନ ଓ ୧୯ ତାରିଖ ପୂର୍ବାହ୍ନରେ ମୁମ୍ବାଇର ଏକ ତାରକା ହୋଟେଲରେ ଆୟୋଜିତ ନିବେଶକ ସମ୍ମିଳନୀରେ ସାମିଲ ହେବେ। ଇଣ୍ଡିଆନ କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ସମ୍ଭାବନା ସମ୍ବନ୍ଧିତ ଏକ ସମ୍ମିଳନୀରେ ଯୋଗଦେବା ସହ ମେକ୍‌ ଇନ୍‌ ଓଡ଼ିଶା ପାଇଁ ନିବେଶକଙ୍କ ସମ୍ମିଳନୀରେ ଯୋଗଦେବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ୧୯ ତାରିଖ ସା କିମ୍ବା ୨୦ ତାରିଖରେ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି। ଫେରିବା ନେଇ ଏ ପର୍ଯ୍ୟନ୍ତ କିଛି ଚୂଡ଼ାନ୍ତ ହୋଇ ନ ଥିବା ଜଣାପଡ଼ି ନାହିଁ। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ମଧ୍ୟ ଗସ୍ତ କରିଛନ୍ତି। ତେବେ ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ବିମାନରେ ଯାଇନାହାନ୍ତି। ତାଙ୍କ ଗସ୍ତରେ ସରକାରୀ ଖର୍ଚ୍ଚ ବଞ୍ଚାଇବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.