ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ…..

ଭୁବନେଶ୍ୱର: ଗୁରୁ କହିଲେ ପ୍ରଥମେ ଆମେ ଆମ ମା’ କୁ ବୁଝନ୍ତି । ତା ଠାରୁ ଜନ୍ମ ନେଇ କଥା କହିବା ଶିଖାଇଛି ମା’ । ତା’ ପରେ ଜଣେ ଭଲ ମଣିଷରେ ପରିଣତ କରିବାରେ ମୁଖ୍ୟ ଭୂମିକା ଥାଏ ଆମ ଗୁରୁଙ୍କର । ଗୁରୁଙ୍କ ବିନା ଜୀବନରେ କେହି କେବେ ସଫଳ ହୋଇନାହାନ୍ତି ।

ଜୀବନର ପ୍ରତି କ୍ଷଣରେ ଯାହାଙ୍କଠୁ କିଛି ଶିଖିବାକୁ ମିଳେ ସେ ଗୁରୁ ପାଲଟି ଯାଆନ୍ତି । ଗୁରୁ ହେଉଛନ୍ତି ସ୍ୱୟଂ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କର ଚଳନ୍ତି ପ୍ରତିମା । ସେଇଥି ପାଇଁ ତ କୁହନ୍ତି, ‘ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର’ ।

ଆଜି ହେଉଛି ସେପ୍ଟେମ୍ବର ୫ ତାରିଖ । ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ । ସେ ରାଷ୍ଟ୍ରପତି ଥିବାବେଳେ ଜନସାଧାରଣ ତାଙ୍କ ଜନ୍ମଦିନ ପାଳନ କରିବାକୁ ଅନୁମତି ମାଗିଥିଲେ । ରାଷ୍ଟ୍ରପତି କହିଥିଲେ ” ମୋ ଜନ୍ମଦିନ ନୁହେଁ, ଦିନଟିକୁ ଗୁରୁ ଦିବସ ରୂପେ ପାଳନ କରାଯାଏ ମୁଁ ଖୁସି ହେବି ।” ସେହି ଦିନଠୁ ସେପ୍ଟେମ୍ବର ୫କୁ ଗୁରୁଦିବସ ଭାବେ ପାଳନ କରାଯାଏ । ରାଷ୍ଟ୍ରପତି ଭାବେ ସେ ଯେତିକି ପରିଚିତ ନୁହନ୍ତି, ମହାନ ଗୁରୁ ଭାବେ ସେତିକି ପରିଚିତ ।

୧୯୧୮ରେ ରାଧାକ୍ରିଷ୍ଣନ ମହୀଶୂର ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ । ତା’ ପରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ, କଲିକତା ବିଶ୍ୱବିଦ୍ୟାଳୟ, ଲଣ୍ଡନର ହାର୍ଭାଡ୍‌ ବିଶ୍ୱବିଦ୍ୟାଳୟ ଓ ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟ ଅଧ୍ୟାପନା କରିଥିଲେ ।

ଏହାପର ଠାରୁ ସେ ନିଜକୁ ଭାରତୀୟ ଦର୍ଶନ ଶାସ୍ତ୍ର ଓ ଧର୍ମଶାସ୍ତ୍ର ଅଧ୍ୟୟନରେ ନିୟୋଜିତ ରଖିଥିଲେ ।’ଶ୍ରୀମଦ ଭଗବତଗୀତା’କୁ ଇଂରାଜୀରେ ଅନୁବାଦ କରିଥିଲେ ରାଧାକ୍ରିଷ୍ଣନ । ୧୯୪୯ରେ ସୋଭିଏତ ରଷିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ ଏବଂ ୧୯୫୪ରେ ତାଙ୍କୁ ପ୍ରଦାନ କରାଯାଇଥିଲା ସମ୍ମାନଜନକ ଭାରତ ରତ୍ନ । ଆଜି ସେହି ମହାନ ଜନନାୟକଙ୍କ ଉଦ୍ଦେଶ୍ୟରେ ସମଗ୍ର ଦେଶବାସୀ ପାଳୁଛନ୍ତି ପବିତ୍ର ‘ଗୁରୁ ଦିବସ’ ।

Comments are closed.