ଓଟିଟି, ଡିଜିଟାଲ ମିଡିଆ ପାଇଁ ଆସିଲା ଗାଇଡଲାଇନ୍
ନୂଆଦିଲ୍ଲୀ,୨୫ ।୨: ଦେଶରେ ଓଟିଟି ଓ ଡିଜିଟାଲ ମିଡିଆ ପାଇଁ ଆସିଛି କେନ୍ଦ୍ରର ଗାଇଡଲାଇନ୍ । ଗାଇଡଲାଇନ୍ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ସେ କହିଛନ୍ତି ଯେ, ‘ସୋସିଆଲ ମିଡିଆକୁ ଭାରତରେ ସ୍ୱାଗତ । ସୋସିଆଲ ମିଡିଆ ଅପବ୍ୟବହାର ଗ୍ରହଣଯୋଗ୍ୟ ନୁହେଁ । ସରକାର ଗଠନମୂଳକ ସମାଲୋଚନାକୁ ସ୍ୱାଗତ କରିବେ । ଡିଜିଟାଲ ମିଡିଆର ଅପବ୍ୟବହାରକୁ ବରଦାସ୍ତ କରାଯିବନି । ଘୃଣାର ପ୍ରସାରର ମାଧ୍ୟମ ସାଜିଛି ସୋସିଆଲ ମିଡିଆ । ଡିଜିଟାଲ ମିଡିଆରେ ଏମିତି ଫଟୋ ଆସୁଛି, ଯାହାକି ଗ୍ରହଣୀୟ ନୁହେଁ । ଅଶାନ୍ତ ସୃଷ୍ଟି ପାଇଁ ସୀମାପାରରୁ ମଧ୍ୟ ଏହାକୁ ବ୍ୟବହାର କରାଯାଉଛି । ଏସବୁ ଦୂର କରିବା ପାଇଁ ଗାଇଡଲାଇନ କରିବା ଜରୁରୀ । ହିଂସା, ଭାଷା ଓ ଦୃଶ୍ୟ ଆଧାରରେ ବିଭାଗୀକରଣ କରାଯିବ । ୟୁ, ୟୁ-୭, ୟୁ-୧୩ ଆଧାରକୁ ନେଇ ବିଭାଗୀକରଣ ହେବ । ସୋସିଆଲ ମିଡିଆକୁ ନେଇ ଅନେକ ଅଭିଯୋଗ ପାଇଛୁ । ’
ଗାଇଡଲାଇନ୍ ମୁତାବକ ଓଟିଟି, ସାମାଜିକ ଗଣମାଧ୍ୟମର କଣ୍ଟେଣ୍ଟ ଉପରେ ନଜର ରଖାଯିବ । ଅଭିଯୋଗ ଆସିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ଫେକ୍ ନ୍ୟୁଜ ଉପରେ ବି ୩ଟି ସ୍ତରରେ ନଜର ରଖାଯିବ । ଅଭିଯୋଗ ଆସିଲେ ୧୫ ଦିନ ଭିତରେ ସମାଧାନ ହେବ ଜରୁରୀ । ନିୟମ ପାଳନକୁ ସୁନିଶ୍ଚିତ କରିବାକୁ ପ୍ରତ୍ୟେକ ସଂସ୍ଥା ଅଧିକାରମାନଙ୍କୁ ରଖିବେ । ପ୍ରତି ମାସରେ ଅଧିକାରୀମାନେ ଅଭିଯୋଗ ଓ ସମାଧାନର ବିବରଣୀ ପ୍ରଦାନ କରିବେ । ଆବାସିକ ଅଭିଯୋଗ ଅଧିକାରୀ ଓ ନୋଡାଲ ଅଧିକାରୀ ବି ନିଯୁକ୍ତ ହେବେ ।
Comments are closed.