ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର, ବନବିଭାଗ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟରେ ଗଡିବ ୬ଟି ଟ୍ରାଭେଲର ବସ୍
ମୟୂରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : ଶିମିଳିପାଳକୁ ଆସୁଥିବା ପର୍ଯ୍ୟଟକ ପାଇଁ ଖୁସି ଖବର । ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ବନବିଭାଗ ପକ୍ଷରୁ ଆଜିଠୁ ୬ଟି ଟ୍ରାଭେଲର ବସ୍ ଚଳାଚଳ କରିବ । ଫଳରେ ଅଭୟାରଣ୍ୟ ପ୍ରତି ପର୍ଯ୍ୟଟକଙ୍କର ଆଗ୍ରହ ବଢିବ ବୋଲି ପରିବେଶବିତ୍ ମାନେ ଆଶାବ୍ୟକ୍ତ କରିଛନ୍ତି । ମିନି ବସ୍କୁ ସ୍ଥାନୀୟ ଶିମିଳିପାଳ ବାସିନ୍ଦା ବା ଇକୋ ଟୁରିଜିମ୍ ଗ୍ରୁପ ରକ୍ଷଣାବେକ୍ଷଣ କରିବ । ଏଥିଲାଗି ଅଫଲାଇନ୍ରେ ଟିକେଟ୍ ବୁକିଂ ହେବ । ଯଶିପୁରର ଧୋବାଡିହା ମୁଖ୍ୟ ଗେଟରେ ୪ଟି ଏବଂ ଦକ୍ଷିଣ ବନ୍ୟାଞ୍ଚଳ ବନଖଣ୍ଡର ପିଠାବଟା ଗେଟ୍ ନିକଟରେ ଦୁଇଟି ବସ୍ ରହିବ । ଯଶିପୁରର ଧୋବାଡିହା ମୁଖ୍ୟଗେଟ୍ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ପଶୁଥିବା ବସ୍ ଭଡା ୬ହଜାର ଟଙ୍କା ରଖାଯାଇଛି । ସେହିପରି ବନ୍ୟାଞ୍ଚଳ ବନଖଣ୍ଡର ପିଠାବଟା ଗେଟ୍ ଶିମିଳିପାଳ ଅଭୟାରଣ୍ୟକୁ ପଶୁଥିବା ବସ୍ର ଭଡା ସାଢେ ୬ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ଗୋଟିଏ ବସ୍ରେ ୧୨ଜଣ ପର୍ଯ୍ୟଟକ ନେଚର କ୍ୟାମ୍ପକୁ ଯାଇପାରିବେ । ପର୍ଯ୍ୟଟନ ଋତୁ ଚାଲିଥିବାରୁ ଶିମିଳିପାଳରେ ପର୍ଯ୍ୟଟକ ଭିଡ ଜମୁଛି । ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ବୃକ୍ଷଲତା, ଜଳପ୍ରପାତ, ପଶୁପକ୍ଷୀ ଆଦିଙ୍କୁ ଦେଖିବା ସହ ବିବିଧତାକୁ ଉପଭୋଗ କରିବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକଙ୍କ ଏଠାକୁ ସୁଅ ଛୁଟିଥାଏ । ଏହାସହ ଶୀତୁଆ ସକାଳର ଭରପୂର ମଜା ଉଠାଇଥାନ୍ତି ପର୍ଯ୍ୟଟକ ।
Comments are closed.