ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ, ଉଦଘାଟନ କଲେ ମୋଦି

0

ଭୁବନେଶ୍ୱର:ପୁରୀ-ହାୱଡା ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଭର୍ଚୁଆଲ ମୋଡରେ ପୁରୀ-ହାୱାଡା ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଲୋକାର୍ପଣ କରିଛନ୍ତି। ଏହାସହ ଓଡ଼ିଶାରେ ୮ହଜାର କୋଟି ଟଙ୍କାରୁ ଅଧିକ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି।

ବନ୍ଦେ ଭାରତ ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗ ଲୋକଙ୍କୁ ବନ୍ଦେ ଭାରତ ଉପହାର ମିଳିଲା। ବନ୍ଦେ ଭାରତରେ ଭାରତର ଗତି ଓ ପ୍ରଗତି ପ୍ରତିଫଳିତ ହେଉଛି। ପୁରୀରୁ କୋଲକାତା ଯାତ୍ରା କେବଳ ସାଢ଼େ ୬ ଘଣ୍ଟା ହୋଇଯିବ। ଏହା ଦ୍ୱାରା ସମୟ ବଞ୍ଚିବ ଓ ବ୍ୟବସାୟ ବଢ଼ିବ।

ସେ କହିଥିଲେ, ବନ୍ଦେ ଭାରତ ଟ୍ରେନ୍ ସମସ୍ତଙ୍କୁ ଯୋଡ଼ିବ। ଓଡ଼ିଶା ଓ ପଶ୍ଚିମବଙ୍ଗର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମ୍ବନ୍ଧକୁ ସମୃଦ୍ଧ କରିବ। ଏହି ଆଧୁନିକ ଟ୍ରେନ୍ ଭାରତର ଅର୍ଥ ବ୍ୟବସ୍ଥାକୁ ଗତି ଦେଉଛି। ପୂର୍ବରୁ କିଛି ବଡ଼ ପ୍ରକଳ୍ପ ହେଲେ ଦିଲ୍ଲୀ ଓ ମୁମ୍ବାଇରେ ସୀମିତ ରହୁଥିଲା। ଏବେ ଦେଶର କୋଣ ଅନୁକୋଣକୁ ସବୁ ପ୍ରକଳ୍ପ ପହଞ୍ଚୁଛି। ବିକାଶରେ ପଛୁଆ ରହିଥିବା ରାଜ୍ୟକୁ ବି ଫାଇଦା ମିଳୁଛି।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ବିଗତ ୯ ବର୍ଷ ହେଲାଣି ଓଡ଼ିଶାକୁ ରେଳ ଅନୁଦାନ ବଢ଼ି ଚାଲିଛି। ଖୋର୍ଦ୍ଧା-ବଲାଙ୍ଗିର ପ୍ରକଳ୍ପ ଅନେକ ବର୍ଷ ହେଲା ପଡ଼ି ରହିଥିଲା। ଏବେ ଏହି ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଛି। ଓଡ଼ିଶାରେ ଶତ ପ୍ରତିଶତ ରେଳ ବିଦ୍ୟୁତକରଣ କାର୍ଯ୍ୟ ସଂପନ୍ନ ହୋଇଛି। ଖଣିଜ ସଂପଦରେ ଭର୍ତ୍ତି ଓଡ଼ିଶାକୁ ଏହା ଦ୍ୱାରା ଫାଇଦା ମିଳିବ। ବିଦ୍ୟୁତକରଣ ଦ୍ୱାରା ଡିଜେଲରୁ ସୃଷ୍ଟି ପ୍ରଦୂଷଣରୁ ଓଡ଼ିଶାକୁ ମୁକ୍ତି ମିଳିବ।

Leave A Reply

Your email address will not be published.