ହାତର ହାତ ଛାଡ଼ିଲେ ଗୁଲାମନବୀ

ନୂଆଦିଲ୍ଲୀ: ଶେଷରେ ଦୀର୍ଘଦିନର ଅସନ୍ତୋଷ ପରେ କଂଗ୍ରେସର ସମସ୍ତ ପଦପଦବୀ ସହ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଗୁଲାମନବୀ ଆଜାଦ | ଆଉ ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି | କାରଣ କଂଗ୍ରେସ ସରକାର ସମୟରେ କେନ୍ଦ୍ର ମନ୍ତ୍ରୀ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଆସିଥିଲେ ଆଜାଦ | ତେବେ କୁହାଯାଉଛି ଯେ ବେଶ କିଛି ମାସ ହେବ ସେ କଂଗ୍ରେସର ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ଥିଲେ | ଆଉ ଆଜି ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି |

ନିକଟରେ ଜମ୍ମୁ ଓ କଶ୍ମୀର କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବାର କିଛି ସମୟ ପରେ ଦଳର ବରିଷ୍ଠ ନେତା ଗୁଲାମନବୀ ଆଜାଦ୍‌ ଉକ୍ତ ପଦବୀରୁ ଇସ୍ତଫା ଦେଇଥିଲେ | ବିଶେଷ କଥା ହେଉଛି ୨୦୨୦ ମସିହାରେ ସେ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲେ ଯେଉଁଥିରେ ସଂଗଠନ ସ୍ତରରେ ବଡ଼ ପରିବର୍ତ୍ତନ ଦାବି କରାଯାଇଥିଲା। ଗୁଲାମ ନବୀ ଆଜାଦ ସେହି ୨୩ଜଣ ନେତାଙ୍କ (ଜି -୨୩) ମଧ୍ୟରୁ ଜଣେ ଥିଲେ ଯିଏ ଏହି ଚିଠିରେ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ମଧ୍ୟ ଉଠାଇଥିଲେ ।

ଉଲ୍ଲେଖ ଥାଉ କି ଗତବର୍ଷ ଆଜାଦ କହିଥିଲେ ଯେ ତାଙ୍କୁ ଲାଗୁନାହିଁ ଯେ ୨୦୨୪ରେ କଂଗ୍ରେସ ୩୦୦ଟି ଆସନ ଜିତିବ | ଭଗବାନ କରନ୍ତୁ ୨୦୨୪ ରେ କଂଗ୍ରେସ ୩୦୦ଟି ଆସନରେ ଜିତୁ, କିନ୍ତୁ ବର୍ତ୍ତମାନ ସ୍ଥିତିକୁ ଦେଖିଲେ ମତେ ତ ତାହା ଲାଗୁନାହିଁ’ ବୋଲି କହିଥିଲେ |

Comments are closed.