ରାଗିଗଲେ ଗେହଲେଟ, ଜାଣନ୍ତୁ କଣ ପାଇଁ

ନୂଆଦିଲ୍ଲୀ :ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ରାତିରେ ବାରମର ସର୍କିଟ ହାଉସରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କେବଳ ମହିଳାମାନଙ୍କୁ ଡକାଯାଇଥିଲା। ରାଜ୍ୟରେ ମହିଳାମାନଙ୍କ ପାଇଁ କରାଯାଇଥିବା ବିଭିନ୍ନ ଯୋଜନାରୁ ସେମାନେ କିପରି ଲାଭବାନ ହେଉଛନ୍ତି ଓ ଏଥିରେ କି ଅସୁବିଧା ରହିଛି, ସେ ନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କ ମତ ଦେଇଥିଲେ। ତେବେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ହଠାତ୍ ରାଗି ଯାଇଥିଲେ ଓ ମାଇକ୍ରୋଫୋନଟିକୁ ଫୋପାଡ଼ି ଦେଇଥିଲେ। ମାଇକ୍ରୋଫୋନଟି କାମ ନ କରିବାରୁ ମୁଖ୍ୟମନ୍ତ୍ରୀ ରାଗି ଯାଇଥିଲେ ଓ ଏହାକୁ ଫିଙ୍ଗି ଦେଇଥିଲେ। ଏହାର ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେଉଛି।

ମୁଖ୍ୟମନ୍ତ୍ରୀ ତାଙ୍କ ବାମ ପାର୍ଶ୍ୱକୁ ମାଇକ୍ରୋଫୋନଟିକୁ ଫୋପାଡ଼ି ଦେଇଥିଲେ, ଯାହା ତଳେ ପଡ଼ିଥିଲା। ତେବେ ଯେଉଁଠି ମାଇକ୍ରୋଫୋନଟି ପଡ଼ିଥିଲା, ସେଠାରେ ବାରମର ଜିଲ୍ଲାପାଳ ଛିଡ଼ା ହୋଇଥିଲେ। ଏଣୁ ଭିଡିଓଟି ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ଲକ୍ଷ୍ୟ କରି ମାଇକ୍ରୋଫୋନଟିକୁ ଫୋପାଡ଼ିଥିବା ଆଲୋଚନା ଜୋର ଧରିଥିଲେ। ତେବେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ତରଫରୁ ଖଣ୍ଡନ କରାଯାଇଥିଲା। ଜିଲ୍ଲାପାଳଙ୍କୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ମାଇକ୍ରୋଫୋନଟିକୁ ଫୋପାଡ଼ି ନଥିଲେ ବୋଲି ତାଙ୍କ ଅଫିସ ତରଫରୁ ସଫେଇ ଦିଆଯାଇଥିଲା।

Comments are closed.