ବିଜେପି ଛାଡ଼ିଲେ ଗୌତମୀ

ବିଜେପି ଛାଡ଼ିଛନ୍ତି ଅଭିନେତ୍ରୀ ତଥା ରାଜନେତ୍ରୀ ଗୌତମୀ ତାଡ଼ିମଲ୍ଲା। ଦଳ ସହ ୨୫ ବର୍ଷ କଟେଇବା ପରେ ଶେଷରେ ଇସ୍ତଫା ଦେଇଛନ୍ତି ଗୌତମୀ। ଦଳୀୟ ନେତୃତ୍ୱଙ୍କର ତାଙ୍କ ପ୍ରତି ସମର୍ଥନର ଅଭାବ ଏବଂ ତାଙ୍କ ସହ ବିଶ୍ୱାସଘାତକତା କରିଥିବା ଜଣେ ବ୍ୟକ୍ତିଙ୍କୁ ଦଳର କିଛି ନେତା ସହାଯ୍ୟ କରୁଥିବା ଦର୍ଶାଇ ଦଳରୁ ଇସ୍ତଫା ଦେଇଛନ୍ତି।

ଏନେଇ ସେ ଏକ୍ସ(ପୂର୍ବର ଚ୍ୱିଟର)ରେ ଏକ ପୋଷ୍ଟ ଶେଆର୍ କରି କହିଛନ୍ତି, ‘ଆଜି ମୁଁ ମୋ ଜୀବନର ଏକ ଅବାଞ୍ଛିତ ସଙ୍କଟ ସ୍ଥିତିରେ ଠିଆ ହୋଇଛି। ଏଥିରେ ଦଳ କିମ୍ବା ଦଳର ନେତାଙ୍କର ମୋ ପ୍ରତି କୌଣସି ସମର୍ଥନ ନାହିଁ। ଏହା ବ୍ୟତୀତ ସେମାନଙ୍କ ମଧ୍ୟରୁ ଅନେକ ନେତା ମୋ ସହ ବିଶ୍ୱାସଘାତକତା ଏବଂ ପ୍ରତାରଣା କରିଥିବା ବ୍ୟକ୍ତିକୁ ମଧ୍ୟ ସାହାଯ୍ୟ କରୁଛନ୍ତି।’

ବିଜେପି ସହ ୨୫ ବର୍ଷର ସମ୍ପର୍କ ଛିନ୍ନ କରିବା ପରେ ତାଡ଼ିମଲ୍ଲା କହିଛନ୍ତି, ‘ଦଳର କିଛି ନେତା ସି ଆଲଗପ୍ପନଙ୍କୁ ସକ୍ରିୟ ଭାବରେ ସାହାଯ୍ୟ କରୁଛନ୍ତି, ଯିଏକି ମୋର ସମ୍ପତ୍ତି, ଟଙ୍କା ଏବଂ ଜମିବାଡ଼ି ଦଲିଲକୁ ଠକି ନେଇଛି। ପ୍ରାୟ ୨୦ ବର୍ଷ ପୂର୍ବେ ମୋର ଅସମୟରେ ଆଲଗପ୍ପନ ମୋ ଜୀବନକୁ ଆସିଥିଲେ। କାରଣ ସେତେବେଳେ ମୁଁ କେବଳ ଅନାଥ ନଥିଲି, ବରଂ ମୋ ଝିଅର ଏକାକୀ ମାଆ ମଧ୍ୟ ଥିଲି। ଏହି ସମୟରେ ମୋ ପରିବାରର ଜଣେ ସଦସ୍ୟ ହୋଇ ଆସିଥିଲେ ଅଲଗପ୍ପନ।’

Comments are closed.