ଆଜିଠୁ ରାଜ୍ୟରେ ବଢିବ ଶୀତ

ଭୁବନେଶ୍ବର: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଲାଗିରହିଥିବା ମେଘୁଆ ପାଗ ଓ ହାଲୁକା ବର୍ଷାରେ ଆଜି ବିରତି ଲାଗିଛି। ଆସନ୍ତାକାଲିଠାରୁ ରାଜ୍ୟର ପାଗ ସମ୍ପୂର୍ଣ୍ଣ ମେଘମୁକ୍ତ ରହିବ। ରାତିର ସର୍ବନିମ୍ନ ତାପମାତ୍ରା କମିବ। ପାଖାପାଖି ୨ରୁ ୩ ଡିଗ୍ରି ଯାଏ ରାତି ତାପମାତ୍ରା କମିବା ଫଳରେ ଅଳ୍ପ ଅଳ୍ପ ଥଣ୍ଡା ପଡ଼ିବା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୨ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା କମିବ ଓ ଏହାପରେ ଅପରିବର୍ତ୍ତିତ ରହିବ ବୋଲି ସୂଚନା ମିଳିଛି। ଦୀପାବଳିକୁ ପାଗ ଶୁଖିଲା ଓ ଖରାଟିଆ ରହିବ।

ସେହିପରି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଏହି ସପ୍ତାହକରେ ଥଣ୍ଡା ବଢ଼ିବ, କମିବ ଓ ପୁଣି ଥରେ ବଢ଼ିବ। ବିଶେଷ ଥଣ୍ଡା ହେବ ନାହିଁ। ୧୭ରୁ ଦକ୍ଷିଣ ଉପକୂଳରେ ପାଗ ମେଘୁଆ ହେବାର ସମ୍ଭାବନା ରହିଛି। ଆକଳନ କରାଯାଉଛି, ଭୁବନେଶ୍ବର ସମେତ ଉପକୂଳରେ ଆସନ୍ତାକାଲି ବୁଧବାର ରାତିରୁ ସର୍ବନିମ୍ନ ତାପମାତ୍ରା ପ୍ରାୟ ୧.୫ ଡିଗ୍ରିକୁ କମିବ। ୨ ଦିନ ପରେ ଅର୍ଥାତ ୧୦ ତାରିଖରୁ ବଢ଼ି ପୁଣି ଥଣ୍ଡା କମିବ। ୧୪ରୁ ୧୬ ତାରିଖ ମଧ୍ୟରେ ସର୍ବାଧିକ ତାପମାତ୍ରା ୩ ଡିଗ୍ରି କମିବା ବେଳେ ସର୍ବନିମ୍ନ ତାପମାତ୍ରା ୧.୫ ଡିଗ୍ରି କମିପାରେ।

ଦକ୍ଷିଣ ଆଭ୍ୟନ୍ତରରେ ଗୁରୁବାର (୯ ତାରିଖ) ରାତିରୁ ସର୍ବନିମ୍ନ ତାପମାତ୍ରା ବଢ଼ି, ୧୧ ତାରିଖ ସୁଦ୍ଧା ପ୍ରାୟ ୨.୫ରୁ ୩ ଡିଗ୍ରି ବଢ଼ିବ। ୧୨ ତାରିଖରୁ ତାପମାତ୍ରା କମିବ। ୧୫ ତାରିଖ ସୁଦ୍ଧା ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରା ୪ ଡିଗ୍ରି କମିବା ହେତୁ ଶୀତ ବଢ଼ିବ।

ଉତ୍ତର ଉପକୂଳ ଓ ଆଭ୍ୟନ୍ତରରେ ୮ ତାରିଖ ରାତିରୁ ୧୧ ତାରିଖ ରାତି ସୁଦ୍ଧା ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରି ବଢ଼ିବ। ତେବେ ୧୨ ରୁ ୧୬ ତାରିଖ ମଧ୍ୟରେ ସର୍ବନିମ୍ନ ୩ ଡିଗ୍ରି କମିବା ବେଳେ ସର୍ବାଧିକ ୪ ଡିଗ୍ରି କମିପାରେ ଓ ଶୀତ ବଢ଼ିବ ବୋଲି ସେ କହିଛନ୍ତି। ଡ. ପଶୁପାଳକ କୃଷି ପରାମର୍ଶ ଦେଇ କହିଛନ୍ତି, ନଦୀ ପଠାରେ ଆଳୁ ଲଗାନ୍ତୁ। ଅମଳ ହୋଇଥିବା ଧାନ କ୍ଷେତରେ ମୁଗ, ବିରି, ଅଳସି ଆଦି ଲଗାନ୍ତୁ। ଜଳସେଚିତ ଜମିରେ ବାଦାମ ଲଗାନ୍ତୁ। ବିହନ ବିଶୋଧନ ସହ ଜୈବିକ ସାର ପ୍ରୟୋଗ କରନ୍ତୁ। ଆଭ୍ୟନ୍ତର ଓଡ଼ିଶାରେ ଚଣା ଓ ମଟର ଲଗାନ୍ତୁ। ରାଜ୍ୟର ସବୁ ସ୍ଥାନରେ ଗେଣ୍ଡୁ ଫୁଲ ସହ ପନିପରିବା ଲଗାଇବା ପାଇଁ ପାଗ ଅନୁକୂଳ ରହିଛି। ଦୀପାବଳି ଦିନ ରାଜ୍ୟରେ ପାଗ ଶୁଖିଲା, ଖରାଟିଆ ରହିବ।

Comments are closed.