ଆଜିଠାରୁ ଫାଷ୍ଟାଗ୍ ବାଧ୍ୟତାମୂଳକ: ନଥିଲେ ଦୁଇଗୁଣା ଜୋରିମାନା

ନୂଆଦିଲ୍ଲୀ, ୧୫ା୨: ସମସ୍ତ ଟୋଲପ୍ଲାଜାରେ ଗାଡ଼ିରେ ଫାଷ୍ଟାଗ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଏଣିକି ଯଦି ଆପଣଙ୍କ ଗାଡିରେ ଫାଷ୍ଟାଗ ନଥିବ, ତେବେ ଦୁଇଗୁଣା ଟୋଲ ଟ୍ୟାକ୍ସ ବା ଜୋରିମାନା ଦେବାକୁ ପଡିବ । ଏହି ନିୟମ ଆଜି ମଧ୍ୟରାତ୍ରିରୁ ଲାଗୁ କରାଯିବ । ଫାଷ୍ଟାଗ୍ ନଥିଲେ ଜାତୀୟ ରାଜପଥରେ ଗାଡ଼ି ଚାଳକମାନଙ୍କୁ ଡବଲ ଟୋଲ ଫି ଦେବାକୁ ପଡ଼ିବ । କିନ୍ତୁ ଏହି ନୂଆ ବ୍ୟବସ୍ଥା ଦୁଇ ଚକିଆ ଯାନ ପାଇଁ ନୁହେଁ । ଫାଷ୍ଟାଗ୍ ଲଗାଇବା ପାଇଁ ସମୟ ସୀମା ଆଉ ବୃଦ୍ଧି କରାଯିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଫାଷ୍ଟାଗ୍ ହେଉଛି ଏକ ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ କୌଶଳ । ଏହା ରେଡିଓ ଫ୍ରିକ୍ୱେନ୍ସି ପରିଚୟ (RFID) ବ୍ୟବହାର କରେ । ଫାଷ୍ଟାଗ୍ ହେଉଛି ଏକ ରିଚାର୍ଜ ପ୍ରିପେଡ୍ ଟ୍ୟାଗ୍ ଯାହା ଆପଣଙ୍କୁ ଭିତରର ଗାଡିର ୱିଣ୍ଡିଶିଲ୍ଡରେ ରଖିବାକୁ ପଡିବ ।

ତେବେ ଏମ-୪ ବା ଅଧିକ ଚକ ବିଶିଷ୍ଟ ଯାତ୍ରୀବାହୀ ଯାନ, ଏନ-୪ ବା ଅଧିକ ଚକ ବିଶିଷ୍ଟ ମାଲବାହୀ ଯାନ ପାଇଁ ଏହି ନିୟମ ଲାଗୁ କରାଯାଇଛି । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ, ଟୋଲ ପ୍ଲାଜାମାନଙ୍କରେ ସମସ୍ତ ଲେନକୁ ଆଜି ମଧ୍ୟରାତ୍ରରୁ ଫାଷ୍ଟାଗ୍ ଲେନ୍ ଭାବେ ଘୋଷଣା କରାଯିବ । ପୂର୍ବରୁ ଗାଡ଼ିରେ ଫାଷ୍ଟାଗ୍ ଲଗାଇବା ସମୟସୀମା ଗତ ଜାନୁଆରୀ ୧ତାରିଖକୁ ଧାର୍ଯ୍ୟ ହୋଇଥିବା ସହ ପରବର୍ତ୍ତୀ ସମୟରେ ଫେବୃଆରୀ ୧୫କୁ ବୃଦ୍ଧି କରାଯାଇଥିଲା । FASTag କିଣିବା ପାଇଁ ଆପଣଙ୍କର ଅନେକ ବିକଳ୍ପ ଅଛି । ପେଟିଏମ୍, ଆମାଜନ.ଇନ୍ ଓ ଫ୍ଲିପକାର୍ଟ ପରି ଇ-କମର୍ସ ପ୍ଲାଟଫର୍ମରୁ ଆପଣ ଏହାକୁ କିଣି ପାରିବେ । ଏହା ବ୍ୟତୀତ ଫିନୋ ପେମେଣ୍ଟସ୍ ବ୍ୟାଙ୍କ ଓ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ମଧ୍ୟ ଫାଷ୍ଟଟ୍ୟାଗ୍ ଜାରି କରନ୍ତି । କେବଳ ଏତିକି ନୁହେଁ ଆପଣ ଏହାକୁ ବ୍ୟାଙ୍କରୁ ମଧ୍ୟ କିଣିପାରିବେ ।

Comments are closed.