ଚୀନ ଉପରେ ବର୍ଷିଲେ ଫରୁକ୍ ଅବଦୁଲ୍ଲା
ନୂଆଦିଲ୍ଲୀ: ନ୍ୟାସନାଲ କନ୍ଫରେନ୍ସ (ଏନସି) ଅଧ୍ୟକ୍ଷ ତଥା ଜମ୍ମୁକଶ୍ମୀରର ତିନିଥର ମୁଖ୍ୟମନ୍ତ୍ରୀ ଥିବା ଫାରୁକ୍ ଅବଦୁଲ୍ଲା ଚୀନ୍କୁ କଡା ଭାଷାରେ ଆକ୍ରମଣ କରିଛନ୍ତି | ସେ କହିଛନ୍ତି ଯେ ‘ଏହା ୧୯୬୨ ମସିହାର ଭାରତ ନୁହେଁ, ଆମେ ଚୁଡ଼ି ପିନ୍ଧିନାହୁଁ’। ଚୀନକୁ ଏହାର ଭାଷାରେ ଉତ୍ତର ଦିଆଯିବ’। ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏହା ପୂର୍ବରୁ ଚୀନ୍ ଏବଂ ପାକିସ୍ତାନ ସହ ଭାରତର କଥାବାର୍ତ୍ତାକୁ ସମର୍ଥନ କରିଆସୁଛନ୍ତି। ଏଥର ସେ ଡ୍ରାଗନକୁ ନିଜ ଭାଷାରେ ଉତ୍ତର ଦେବାକୁ ପରାମର୍ଶ ଦେଇଛନ୍ତି।
ଉଲ୍ଲେଖନୀୟ କଥା ହେଉଛି, ଡିସେମ୍ବର ୯ ରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରରେ ଚୀନ୍ ଏବଂ ଭାରତୀୟ ସେନା ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷ ପରେ ଭାରତ ଏବଂ ଚୀନ୍ର କମାଣ୍ଡରସ୍ତରୀୟ ବୈଠକ ହୋଇଥିଲା ଏବଂ ପରେ ଉଭୟ ଦେଶର ସୈନିକମାନେ ପଛକୁ ହଟିଥିଲେ। ତାୱାଙ୍ଗରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ବାବଦରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା କହିଥିଲେ ଯେ ଚୀନ୍ ସହ ଆଲୋଚନା ହେବା ଉଚିତ୍। ଏଥି ସହିତ ପଡୋଶୀ ପାକିସ୍ତାନ ସହ ସମ୍ପର୍କକୁ ସୁଦୃଢ କରିବାକୁ ସେ କହିଥିଲେ। ସେ କହିଥିଲେ ଯେ ଆମର ପଡ଼ୋଶୀ ଦେଶମାନଙ୍କ ସହ ଭଲ ସମ୍ପର୍କ ନହେବା ପର୍ଯ୍ୟନ୍ତ ଆମେ ଭାରତରେ ଶାନ୍ତି ଦେଖି ପାରିବା ନାହିଁ। ଏଥର ଚୀନ୍ ସମ୍ବନ୍ଧରେ ଫାରୁକ୍ ଅବଦୁଲ୍ଲାଙ୍କ ସ୍ୱର ବଦଳିଛି। ଚୀନ୍ର କାର୍ଯ୍ୟକୁ ଟାର୍ଗେଟ କରି ସେ ଏହାକୁ ଚୀନ ଭାଷାରେ ଜବାବ ଦେବାକୁ କହିଛନ୍ତି।
Comments are closed.