20 ଲକ୍ଷ ଟଙ୍କାରୁ ଅଧିକ ଦେଶୀ ମଦ ଜବତ , ଚାଳକ ଗିରଫ
ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) : ଟାଙ୍ଗୀ ଅବକାରୀ ପୋଲିସ୍ ନାଚୁଣୀ ଜଙ୍ଗଲ ମଧ୍ୟରେ ଚଢାଉ କରି 20 ଲକ୍ଷ ଟଙ୍କାରୁ ଅଧିକ ଦେଶୀ ମଦ ସହ ଜଣେ ଟ୍ରକ୍ ଚାଳକଙ୍କୁ ଗିରଫ କରିଛି | ଚୋରା ମଦ ଚୋରା ଚାଲାଣ ଅଭିଯୋଗରେ ଅବକାରୀ ପୋଲିସ୍ ଗୋଟିଏ ଆଇଚର ଟ୍ରକ୍ ସହ ଆଉ ଗୋଟିଏ ୪୦୭ ଟ୍ରକ୍ ଜବତ କରିଥିବା ଜଣା ପଡିଛି | ଗତ କାଲି ରାତିରେ ନୟାଗଡରୁ ବାଲୁଗାଁକୁ ବିପୁଳ ପରିମାଣର ଚୋରା ଦେଶୀ ମଦ ଚାଲାଣ କରାଯାଉଥିବା ନେଇ ଖବର ପହଂଚିଥିଲା ଟାଙ୍ଗୀ ଅବକାରୀ ପୋଲିସ୍ ନିକଟରେ | ପରେ ଚଳ ଚଂଚଳ ହୋଇ ଉଠିଥିଲା ଟାଙ୍ଗୀ ଅବକାରୀ ପୋଲିସ୍ | ଅବକାରୀ ଇନସପେକ୍ଟର ଆଲୋକ କୁମାର ପ୍ରଧାନଙ୍କ ନେତୃତ୍ୱରେ ନାଚୁଣୀ ଷଣ୍ଢ ଛକ ନିକଟରେ ଦିନ ୧୨ ଟା ସମୟରୁ ଆରମ୍ଭ ହୋଇଥିଲା ଅପରେସନ ,ଅବକାରୀ ପୋଲିସ୍ ସହ ଫ୍ଲାଇଙ୍ଗ ସ୍ୱାର୍ଡର ପୋଲିସ୍ ମାନେ ସାଦା ପୋଷାକରେ ଛକି ରହିଥିଲେ | ଖବର ମୁତାବକ ଦେଶୀ ମଦ ବୋଝେଇ ୪୦୭ ଓ ଆଇଚର ଟ୍ରକ୍ ଦୁଇଟି ନାଚୁଣୀ ଜଙ୍ଗଲରେ ପହଂଚିବା କ୍ଷଣି ଗାଡି ଦୁଇଟିକୁ ଘେରି ଯାଇଥିଲେ ଅବକାରୀ ପୋଲିସ୍ | ତେବେ ଅନ୍ଧାରର ସୁଯୋଗ ନେଇ ଜଣେ ଟ୍ରକ୍ ଚାଳକ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣେ ଟ୍ରକ୍ ଚାଳକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ଅବକାରୀ ପୋଲିସ୍ | ଜବତ କରି ଟ୍ରକ୍ ୨ଟିକୁ ହେପାଜତକୁ ନେଇଥିଲା ଟାଙ୍ଗୀ ଅବକାରୀ ପୋଲିସ୍ | ଗାଡି ଦୁଇଟିରେ ୧୪୦୦ ପେଟି ଚୋରା ଦେଶୀ ମଦ ଥିବା ଅନୁମାନ କରାଯାଉଛି | ବାଲୁଗାଁ ଅଂଚଳର ଜଣେ ମଦ ବେପାରୀ ଚୋରାରେ ଏହି ମଦ ମଗାଇଥିବା ନେଇ ତଦନ୍ତ କରୁଛି ପୋଲିସ୍ | ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଏତେ ବିପୁଳ ପରିମାଣର ମଦ ମଗାଇଥିବା ଅନୁମାନ କରାଯାଊଛି | ତେବେ ସବିଶେଷ ତଥ୍ୟ ନେଇ ତଦନ୍ତ କରୁଛନ୍ତି ଅବକାରୀ ପୋଲିସ୍ ଇନସପେକ୍ଟର | ତଦନ୍ତ ପରେ ସମସ୍ତ ଘଟଣା ଜଣା ପଡିବ ବୋଲି ଅବକାରୀ ପୋଲିସ୍ ପକ୍ଷରୁ ସୂଚନା ମିଳିଛି |
Comments are closed.