କାର ପଛରେ ବସିଲେ ମଧ୍ୟ ସିଟବେଲ୍ଟ ବାଧ୍ୟତାମୂଳକ, ନହେଲେ ଭରିବେ ଫାଇନ
ନୂଆଦିଲ୍ଲୀ: ଚିନ୍ତାରେ ଲୋକେ । ପୁଣି ଟ୍ରାଫିକ ଆଇନ ହେଲା କଡ଼ାକଡ଼ି । ଏଣିକି ସମସ୍ତ କାରର ପଛସିଟରେ ବସି ଯାତ୍ରା କରୁଥିବା ଲୋକମାନେ ସାବଧାନ । ତାଙ୍କ ପାଇଁ ମଧ୍ୟ ସିଟବେଲ୍ଟ ବାନ୍ଧିବା ହେଲା ବାଧ୍ୟତାମୂଳକ । ପୂର୍ବେ କେବଳ ଆଗରେ ବସିଥିବା ଡ଼୍ରାଇଭର ଓ ଆଗ ସିଟରେ ବସିଥିବା ବ୍ୟକ୍ତିଙ୍କ ପାଇଁ ସିଟବେଲ୍ଟ ବାନ୍ଧିବାର ନିୟମ ଥିଲା ।
କିନ୍ତୁ ଟାଟା ସନ୍ସ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ପରେ ସରକାର ପଛସିଟରେ ବସି ଯାତ୍ରା କରୁଥିବା ଯାତ୍ରୀଙ୍କ ନିରାପତ୍ତା ପାଇଁ ଏଭଳି ବଡ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ କହିବା ଅନୁଯାୟୀ, ଖୁବଶୀଘ୍ର ଏ ସମ୍ପର୍କିତ ଆଦେଶ ଜାରି କରାଯିବ ।
ଏକ କାର୍ୟ୍ୟକ୍ରମରେ ଯୋଗଦେବା ଅବସରରେ ସେ କହିଛନ୍ତି ସାଇରସ ମିସ୍ତ୍ରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ପରେ ବିଶାରଦ ଓ ସମାଲୋଚକମାନେ ଦେଶର ପରିବହନ ଓ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାରେ ତ୍ରୁଟି ରହିଥିବା ସମ୍ପର୍କରେ ଅଙ୍ଗୁଳି ନିର୍ଦେଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ସାଇରସ୍ ମିସ୍ତ୍ରୀ ଯାତ୍ରା କରୁଥିବା କାରର ପଛସିଟରେ ବସିଥିବାବେଳେ ଦୁର୍ଘଟଣା ପରେ ଏୟାର ବ୍ୟାଗ୍ ଖୋଲିନଥିଲା । ଫଳରେ ମିସ୍ତ୍ରୀଙ୍କ ସହିତ ପଛସିଟରେ ବସିଥିବା ଅନ୍ୟ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ।
Comments are closed.