ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା
କଟକ : ରାଜ୍ୟରେ ବାରମ୍ବାର ହାତୀ ମୃତ୍ୟୁ ହେଉଥିବା ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। କଟକ ମଙ୍ଗଳାବାଗ ଅଞ୍ଚଳର ସମାଜସେବୀ ଗୀତା ରାଉତ ଏହି ମାମଲା ରୁଜୁ କରିଛନ୍ତି। ହାତୀ ଶିକାରକୁ ରୋକିବା ପାଇଁ କଠୋର ଆଇନ ବ୍ୟବସ୍ଥା ଲାଗୁ ନିମନ୍ତେ ସେ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି।
ଆସାମ ସରକାରଙ୍କ ପରି ବନ୍ୟଜନ୍ତୁ ସୁରକ୍ଷା ଆଇନ ଓଡ଼ିଶାରେ ଲାଗୁ କରିବା ପାଇଁ ସେ କୋର୍ଟଙ୍କୁ ନିବେଦନ କରିଛନ୍ତି। ଏହାସହ ଗତ ୫ ବର୍ଷରେ ହାତୀଙ୍କ ସୁରକ୍ଷା ପାଇଁ କ’ଣ ପଦକ୍ଷେପ ନିଆଯାଇଛି, ଏଥିରେ କେତେ ଶିକାରୀଙ୍କୁ ଗିରଫ କରାଯାଇଛି ଏ ନେଇ ସରକାର ତଥ୍ୟ ଦାଖଲ କରନ୍ତୁ ବୋଲି ଆବେଦନକାରୀଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଛି। ଏଥିରେ ଜଙ୍ଗଲ ଓ ପରିବେଶ ସଚିବ, ପିସିସିଏଫ୍, ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଅନ୍ୟପକ୍ଷରେ ଏହି ମାମଲାରେ ଅଧିକ ତଥ୍ୟ ଓ ନଥିପତ୍ର ଦାଖଲ କରିବା ପାଇଁ କୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ରେଞ୍ଜରୁ ବାରମ୍ବାର କଙ୍କାଳ ବାହାରିବା ନେଇ ଏସ୍ଆଇଟି ଗଠନ କରାଯାଇଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି।
Comments are closed.