ପ୍ରାଥମିକ ସ୍କୁଲରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ଛାତ୍ର ଗୁରୁତର
ସୋର: ବାଲେଶ୍ୱର ଜିଲ୍ଲା ତେଲିଆଗଞ୍ଜ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ଛାତ୍ର ଗୁରୁତର ହୋଇଛନ୍ତି। ସେମାନଙ୍କୁ ବିଦ୍ୟୁତ୍ ଆଘାତରୁ ମୁକୁଳାଇବାକୁ ଯାଇ ସ୍କୁଲର ପ୍ରଧାନଶିକ୍ଷକ ମଧ୍ୟ ଗୁରୁତର ହୋଇଛନ୍ତି। ୩ ଗୁରୁତର ଏବେ ବାଲେଶ୍ୱର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।
ସୂଚନା ଅନୁଯାୟୀ, ତେଲିଆଗଞ୍ଜ ପ୍ରାଥମିକ ବିଦ୍ୟାଳୟରେ ଆଜି ସ୍ୱାଭାବିକ ଭାବେ କ୍ଲାସ ଚାଲୁଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ପରେ ସପ୍ତମ ଶ୍ରେଣୀର ୨ ଛାତ୍ର ସ୍କୁଲ ପରିସରରେ ଥିବା ପାଣିମୋଟର ପାଖକୁ ଯାଇଥିଲେ। ଏହି ସମୟରେ ସେଠାରେ ଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ସେମାନେ ଚାଲି ଆସିଥିଲେ। ବିଦ୍ୟୁତ୍ ଆଘାତ ପାଇ ୨ ଛାତ୍ର ଚିତ୍କାର କରିବା ସହ ଛଟପଟ ହେଉଥିଲେ।
ସେମାନଙ୍କ ଚିତ୍କାର ଶୁଣି ଅନ୍ୟ ଛାତ୍ର, ଶିକ୍ଷକ ରୁଣ୍ଡ ହୋଇ ଯାଇଥିବା ବେଳେ କେହି ସେମାନଙ୍କୁ ଉଦ୍ଧାର କରିବାକୁ ସାହସ କରୁ ନ ଥିଲେ। ଏହି ସମୟରେ ସ୍କୁଲ ପ୍ରଧାନଶିକ୍ଷକ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ଗୁରୁତର ହୋଇଛନ୍ତି।
ଗୁରୁତର ୩ ଜଣଙ୍କୁ ପ୍ରଥମେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେମାନଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।
Comments are closed.