ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରାଙ୍କ ବଢ଼ିପାରିବ ନାହିଁ କାର୍ଯ୍ୟକାଳ, ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଥାତ ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରାଙ୍କୁ ଜୁଲାଇ ୩୧ ସୁଦ୍ଧା ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିବ। ତାଙ୍କ କାର୍ଯ୍ୟକାଳ ବଢାଇବାକୁ କେନ୍ଦ୍ର ସରକାର ଦେଇଥିବା ଆଦେଶକୁ ସୁପ୍ରିମକୋର୍ଟ ବେଆଇନ ବୋଲି କହିଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି, “ଆମେ ୨୦୨୧ ମସିହାରେ ନିର୍ଦ୍ଦେଶ ଦେଇଥିଲୁ ଯେ ମିଶ୍ରାଙ୍କ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯିବା ଉଚିତ ନୁହେଁ। ଏହା ସତ୍ତ୍ୱେ ଏକ ଆଇନ ଆଣି କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ବେଆଇନ ଥିଲା। ସେ ଜୁଲାଇ ୩୧ ପର୍ଯ୍ୟନ୍ତ ତାଙ୍କ ପଦରେ ରହିପାରିବେ। ଏହି ସମୟ ମଧ୍ୟରେ କେନ୍ଦ୍ର ସରକାର ନୂତନ ନିର୍ଦ୍ଦେଶକ ବାଛିବା ଉଚିତ୍’। ଉଲ୍ଲେଖ ଥାଉ କି ୨୦୧୮ ମସିହାରେ ଇଡି ନିର୍ଦ୍ଦେଶକ ହୋଇଥିବା ସଞ୍ଜୟଙ୍କ କାର୍ଯ୍ୟକାଳ ୨୦୨୦ ମସିହାରେ ସରିବାର ଥିଲା |

କିନ୍ତୁ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧି କରିଥିଲେ । ଏନେଇ ଏନଜିଓ କମନ କଜ ପକ୍ଷରୁ ଏନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ସେପ୍ଟେମ୍ବର ୮, ୨୦୨୧ରେ ସୁପ୍ରିମକୋର୍ଟ କହିଥିଲେ ଯେ ମିଶ୍ରାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ନଭେମ୍ବର ୧୮ ରେ ଶେଷ ହେଉଛି, ତେଣୁ ଏଥିରେ ହସ୍ତକ୍ଷେପ ହେବ ନାହିଁ, କିନ୍ତୁ ତାଙ୍କ କାର୍ଯ୍ୟକାଳ ଆଉ ବଢାଯିବ ନାହିଁ। ଏହା ପରେ କେନ୍ଦ୍ର ସରକାର ନଭେମ୍ବର ୧୪, ୨୦୨୧ରେ ଏକ ଅଧ୍ୟାଦେଶ ଆଣିଥିଲେ | ଯେଉଁଥିରେ ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୫ ବର୍ଷ ପର୍ଯ୍ୟନ୍ତ ବଢାଇବା ବାବଦରେ ଉଲ୍ଲେଖ କରାଯାଇଥିଲା |

ଏହି ଆଧାରରେ ମିଶ୍ରାଙ୍କ କାର୍ଯ୍ୟକାଳ ପୁଣି ୧ ବର୍ଷ ବଢ଼ାଇ ଦିଆଯାଇଥିଲା | ନଭେମ୍ବର ୨୦୨୨ରେ ଏହି ଅବଧି ସମାପ୍ତ ହେବା ପରେ, ତାଙ୍କର ଆଉ ଏକ ବର୍ଷ ସେବା ସମ୍ପ୍ରସାରଣ କରାଯାଇଥିଲା | ଏଭଳି ଭାବେ ଚଳିତ ବର୍ଷ ନଭେମ୍ବର ୧୮ରେ ସେ ୫ ବର୍ଷ ପୂରଣ କରିଥାନ୍ତେ। ତେବେ ବର୍ତ୍ତମାନ କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ୩୧ ଜୁଲାଇରେ ତାଙ୍କ ପଦ ଛାଡିବାକୁ ପଡିବ |

Comments are closed.