୨୯ରେ ଇ-ବସ୍ ଓ ଇ-ରିକ୍ସା ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀରେ ଆସନ୍ତା ୨୯ ତାରିଖରୁ ଇ-ବସ୍‌ ଏବଂ ଇ-ରିକ୍ସା ଗଡିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବା କାର୍ୟ୍ୟକ୍ରମ ରହିଛି । ଇ-ବସ୍‌ର ସଫଳ ପରୀକ୍ଷଣ ପରେ କ୍ରୁଟ ପକ୍ଷରୁ ଏହାକୁ ସାମିଲ କରାଯାଇଛି । ପ୍ରାଥମିକ ପ୍ରର୍ୟ୍ୟାୟରେ ୧୦ ଇ-ବସ୍‌ ଏବଂ ୪୫ଟି ଇ-ରିକ୍ସା ଚାଲିବ ।

ଜୁନ ୩୦ରେ ଇ-ବସ୍‌ର ପରୀକ୍ଷା ଆରମ୍ଭ ହୋଇଥିଲା । ବିନାଯାତ୍ରୀରେ ବସ୍‌ ଡିପୋରୁ ବାହାରି ସହର ବୁଲିଥିଲା । ପ୍ରାୟ ୨୫ ଦିନ ଧରି ଏହି ପରୀକ୍ଷା ଚାଲିବା ପରେ ସଫଳ ହୋଇଛି । କ୍ରୁଟ ଏହାକୁ ସାମିଲ କରିଛି । ଆଗାମୀ ଦିନରେ ଆହୁରି ଅଧିକ ବସ୍‌ ଅଣାଯିବ ବୋଲି କ୍ରୁଟ ପକ୍ଷରୁ ସୂଚନା ମିଳିଛି । ଏହି ବସ୍‌ ଚାଲିବା ଦ୍ୱାରା ଧୂଆଁ ବାହାରିବନି କି ପରିବେଷ ପ୍ରଦୂଷଣ ହେବନାହିଁ । ଆରାମଦାୟକ ଯାତ୍ରା ସହ ତ୍ୱରିତ ସେବା ଯୋଗାଇବ ଏହି ଇ-ବସ୍‌ ।

ମୁଖ୍ୟ ରାସ୍ତାରେ ମୋ ବସ୍‌ ସେବା ଦେଉଥିବା ବେଳେ ଗଳିରେ ଇ-ରିକ୍ସା ଚାଲିବ । ବସ୍‌ରୁ ଓହ୍ଲାଇବା ପରେ ଘର ପର୍ୟ୍ୟନ୍ତ ଯିବାକୁ ଇ-ରିକ୍ସା ସେବା ଯୋଗାଇବ । ଏଥିରେ ୩ କିମି ରାସ୍ତା ଯିବାକୁ ୧୦ ଟଙ୍କା ରଖାଯାଇଛି । ଏହାଦ୍ୱାରା ସାଧାରଣ ଯାତ୍ରୀ ଲାଭ ପାଇବେ ।

Comments are closed.